ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି ଶିଶୁଙ୍କ ଅତିରିକ୍ତ ପୋଷଣ ଲାଗି ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି । ଜିଲ୍ଲାରେ ମିଶନ ଶକ୍ତିର ମହିଳାମାନେ ଏହି ମାଣ୍ଡିଆ ଲଡୁ ମିକ୍ସ ତିଆରି କରୁଛନ୍ତି । ପିଲାଙ୍କ ପୋଷଣ ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ଏହି ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି ।
ସେହିପରି ପିଲାଙ୍କ ପୋଷଣ ସହ ଏହା ସ୍ଥାନୀୟ ଚାଷୀ ଏବଂ ସ୍ବଂୟସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଜୀବିକାକୁ ସୁନିଶ୍ଚିତ କରୁଥିବା ବିଷୟ ଆୟୋଗ ଏହାର ଏକ ସର୍ବଭାରତୀୟ ରିପୋର୍ଟରେ ଦର୍ଶାଇଛନ୍ତି । ବର୍ତ୍ତମାନ ୩୯ଟି ସ୍ବଂୟ ସହାୟକ ଗୋଷ୍ଠୀକୁ ମାଣ୍ଡିଆ ଲଡ଼ୁ ମିକ୍ସ ପ୍ରସ୍ତୁତି ଦାୟିତ୍ବ ଦିଆଯାଇଛି । ମାଣ୍ଡିଆ ଲଡ଼ୁ କାର୍ଯ୍ୟକ୍ରମରୁ ୩,୮୦୯ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ୬୩ ହଜାର ଶିଶୁ ଉପକୃତ ହେଉଛନ୍ତି ।
କେନ୍ଦ୍ର ସରକାରଙ୍କ ନୀତି ଆୟୋଗଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ଟେକ୍ ହୋମ୍ ରାସନ - ଗୁଡ୍ ପ୍ରାକ୍ଟିସେସ୍ ଆକ୍ରସ ଦଷ୍ଟେଟସ୍/ୟୁନିଅନ ଟେରିଟୋରିଜ୍’ ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୋଭିଡ୍ ସମୟରେ ସୁନ୍ଦରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି ମାଧ୍ୟମରେ ପିଲାଙ୍କ ଘରେ ଘରେ 'ମାଣ୍ଡିଆ ଲଡୁ ମିକ୍ସ’ ଦିଆଯିବା ବିଷୟ ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟକୁ ସ୍ବାଗତ କରି ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି କହିଛନ୍ତି, ‘‘ପିଲାମାନଙ୍କ ଶାରୀରିକ ଓ ମାନସିକ ବିକାଶ କ୍ଷେତ୍ରରେ ପୋଷଣ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ତେଣୁ ଜିଲ୍ଲାରେ ଅଙ୍ଗନବାଡ଼ି ମାଧ୍ୟମରେ ପିଲାମାନଙ୍କୁ ନିୟମିତ ମାଣ୍ଡିଆ ଲଡ଼ୁ ଦିଆଯାଇ ସେମାନଙ୍କ ସ୍ବାସ୍ଥ୍ୟର ମୂଳଦୁଆକୁ ସଶକ୍ତ କରିବା ଲାଗି ଏହି କାର୍ଯ୍ୟକ୍ରମ ଚାଲିଛି । ଜିଲ୍ଲାରେ ମାଣ୍ଡିଆ ଉତ୍ପାଦନ ବଢ଼ାଇ ଚାଷୀମାନଙ୍କୁ ପରିଶ୍ରମର ଉଚିତ ମୂଲ୍ୟ ପ୍ରଦାନ ସହିତ ଏସ୍ଏଚଜି ମହିଳାଙ୍କ ଜୀବିକା ବିକାଶ ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି । ’’
ମିଳିତ ଜାତିସଂଘ ୨୦୨୩କୁ ’ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ’ ବର୍ଷ ଭାବେ ଘୋଷଣା କରିଛନ୍ତି । ଓଡ଼ିଶା ପୁଷ୍ଟିଶସ୍ୟ ମିଶନ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟରେ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଉତ୍ପାଦନ, ସଂଗ୍ରହ ଏବଂ ବ୍ୟବହାର ଉପରେ କୃଷି ବିଭାଗ ଗୁରୁତ୍ୱ ଦେଉଛି । ଏଥିପାଇଁ ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ।