ଭୁବନେଶ୍ବର: ରଥାରୂଢ ମହାପ୍ରଭୁଙ୍କୁ ଦର୍ଶନ କରିବା ନେଇ କାହିଁ କେତେ ଦୂରରୁ ଆସିବେ ଶ୍ରଦ୍ଧାଳୁ । ତେବେ ସେମାନେ ସୁରକ୍ଷିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିବା ନେଇ ପୁଣି ରେଳ ମନ୍ତ୍ରାଳୟ ପକ୍ଷରୁ 20ଟି ସ୍ପେଶାଲ ଟ୍ରେନ ଯାତାୟତ କରିବା ନେଇ ଘୋଷଣା କରାଯାଇଛି ।
ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧାଜନକ ଯାତ୍ରା ପାଇଁ ରେଳ ମନ୍ତ୍ରଣାଳୟ ରଥ ଯାତ୍ରା ସମୟରେ ପୁରୀକୁ ଏବଂ ପୁରୀ ଠାରୁ 205 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାପାଇଁ ପୂର୍ବରୁ ଘୋଷଣା କରିଥିଲା । ଗୁଣ୍ଡିଚା ଯାତ୍ରା ଶେଷ ହୋଇସାରିଥିବାରୁ ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ଦିନ ମାନଙ୍କରେ ଅଧିକ ଭକ୍ତଙ୍କ ସମାବେଶକୁ ଆଶଙ୍କା କରି ପୂର୍ବତଟ ରେଳପଥ ମଧ୍ୟ ସୁନା ବେଶ ପରଦିନ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ସହିତ ଆହୁରି 20 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା କରିଛି ।
ରଥଯାତ୍ରା ଅବଧି ସମୟରେ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଦୈନିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି । 02891/02810 ଭୁବନେଶ୍ୱର-ପୁରୀ-ଭୁବନେଶ୍ୱର ବିଶେଷ ଟ୍ରେନ ଜୁଲାଇ ମାସ ପହିଲା ଠାରୁ 11 ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ପୂର୍ବାହ୍ନ ୧୦ଘ.୦୫ମି.ରେ ପୁରୀକୁ ଯାତ୍ରା କରୁଥିବାବେଳେ ଏହା ପୁରୀ ଠାରୁ ଅପରାହ୍ନ ୩ଘ.୧୦ମି.ରେ ଛାଡି ଭୁବନେଶ୍ୱର ଯାତ୍ରା କରୁଛି ।
ସନ୍ଧ୍ୟା ଦର୍ଶନ ଦିନ ପାଇଁ 8 ଜୁଲାଇ, 2022ରେ 7 ଯୋଡି ସ୍ପେଶାଲ ଟ୍ରେନ (ମହିପୁରରୁ 3 ଯୋଡି ଏବଂ ଖୋର୍ଦ୍ଧା ରୋଡରୁ 4 ଯୋଡି) ପୁରୀ ଏବଂ ଖୋର୍ଦ୍ଧା ରୋଡ଼/ମହୀପୁର ମଧ୍ୟରେ ଚଳାଚଳ କରିବ ।
ଏହା ବ୍ୟତୀତ, 08933/08934 ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍, 08937/08938 ଜୁନାଗଡ଼ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେଶାଲ୍, 08945/08946 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ୍, 08941/08942 ଗୁଣୁପୁର-ପୁରୀ-ଗୁଣୁପୁର ବିଶେଷ ଟ୍ରେନ ପୁରୀକୁ ଆସି ପୁଣି ସେମାନଙ୍କ ଉତ୍ପତି ସ୍ଥାନ ମାନଙ୍କୁ ଫେରିବ ।