ପୁରୀ: ଜଗନ୍ନାଥଧାମ ପୁରୀର ନାଁ ପରିବର୍ତ୍ତନ ପାଇଁ ଦାବି ଜୋର ଧରିଛି । କିଛି ସାମାଜିକ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ମତ, ଖାଲି ପୁରୀ ବଦଳରେ ଜଗନ୍ନାଥ ପୁରୀ ରଖିଲେ ଅଧିକ ଲୋକ ଶ୍ରୀକ୍ଷେତ୍ରକୁ ଜାଣିବେ । ତେବେ ଏହାକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବ, ଦାବି ଆପତ୍ତି ମଧ୍ୟରେ ପ୍ରସଙ୍ଗକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଜି (ଶୁକ୍ରବାର) ପୁରୀ ଗସ୍ତରେ ଆସି ଧର୍ମେନ୍ଦ୍ର ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆର୍ଶିବାଦ ନେଇଛନ୍ତି । ଏହାସହ ବିଭିନ୍ନ ପ୍ରସଙ୍ଗରେ ଗୁରୁଜୀଙ୍କ ପରାମର୍ଶ ଲୋଡିଛନ୍ତି । ପରେ ଗଣମାଧ୍ୟମ ସହ ଆଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି ପୁରୀର ନାମ ପରିବର୍ତ୍ତନ କରି ଜଗନ୍ନାଥଧାମ ପୁରୀ କରିବାକୁ ଯେଉଁ ଦାବି ହେଉଛି ତାହା ସ୍ଵାଗତଯୋଗ୍ୟ । ଏପରି ନାମ କରଣ ହେଲେ ମହାପ୍ରଭୁଙ୍କ ଆହୁରି ପ୍ରଚାର ପ୍ରସାର ହୋଇପାରିବ ।
ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଭିନ୍ନ ମତ ଦେଇଛନ୍ତି । ଜଗତଗୁରୁ କହିଛନ୍ତି ପୁରୀ ନାମ ହିଁ ଯଥେଷ୍ଟ। ପୁରୀ କହିଲେ ସାରା ବିଶ୍ବବାସୀ ଜଗନ୍ନାଥଙ୍କ ଧାମକୁ ହିଁ ଜାଣନ୍ତି । ସେହିପରି ପୌରାଣିକ ତଥ୍ୟ ଉପସ୍ଥାପନା କରି ଜଗତଗୁରୁ କହିଛନ୍ତି ପ୍ରକୃତରେ ଅଯୋଧ୍ୟାର ନାଁ ଖାଲି ଅଯୋଧ୍ୟା ନୁହେଁ । ଏହା ହେଉଛି ଅଯୋଧ୍ୟା ପୁରୀ । ସେହିଭଳି ଦ୍ବାରକାର ନାଁ ଦ୍ବାରକାପୁରୀ, ହରିଦ୍ବାରର ନାଁ ହରିଦ୍ବାରପୁରୀ, କାଶୀର ନାଁ କାଶୀପୁରୀ। କାଞ୍ଚିର ନାଁ କାଞ୍ଚିପୁରୀ,ଉଜ୍ଜୟିନୀର ନାଁ ଉଜ୍ଜୟିନୀପୁରୀ । ଏହି ଅର୍ଥରେ ଅଷ୍ଟମପୁରୀ ହେଉଛି ଜଗନ୍ନାଥ ପୁରୀ ।