ପୁରୀ/ଭୁବନେଶ୍ବର:3 ଦିନିଆ ଓଡ଼ିଶା ଗସ୍ତରେ ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ଵିନୀ ବୈଷ୍ଣବ । ଆଜି(ଗୁରୁବାର) ପୁରୀ ଗସ୍ତ କରିବା ସମୟରେ ପିପିଲି ଉତ୍ତରା ଛକଠାରୁ ସେମାନଙ୍କୁ ସ୍ବାଗତ କରାଯାଇଛି । ଏହି ଗସ୍ତ ସମୟରେ ରେଳମନ୍ତ୍ରୀ ଅଶ୍ବିନୀ ପୁରୀ-କୋଣାର୍କ ରେଳପଥ ନେଇ କାମ ତ୍ବରାନ୍ବିତ କରିବେ ବୋଲି କହିଛନ୍ତି ।
୨ କେନ୍ଦ୍ରମନ୍ତ୍ରୀଙ୍କ ବକୁଳବନ ପରିଦର୍ଶନ, ପୁରୀ-କୋଣାର୍କ ରେଳପଥ ନେଇ ଏମିତି କହିଲେ ଅଶ୍ବିନୀ ଗସ୍ତ ସମୟରେ ସେମାନେ ସତ୍ୟବାଦୀର ପଞ୍ଚସଖା ସମାଧି ପୀଠ ପରିଦର୍ଶନ ପରେ ବକୁଳବନ ପରିଦର୍ଶନ କରି ପଞ୍ଚସଖା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏହାପରେ ୨ କେନ୍ଦ୍ରମନ୍ତ୍ରୀ ସତ୍ୟବାଦୀ ହାଇସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କ ସହିତ ସମୟ ଅତିବାହିତ କରି ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ବିଶେଷ କରି ବକୁଳବନ ଶିକ୍ଷାର ଏନ୍ତୁଳିଶାଳରୁ ଆର୍ଶୀବାଦ ଭିକ୍ଷା ଲାଭ କରିବାକୁ ଆସିଥିବା କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।
ପିଲାମାନେ ମଧ୍ୟ ଅତି ନିକଟରେ ମନ୍ତ୍ରୀଙ୍କୁ ପାଇ ବେଶ ଉତ୍ସାହିତ ଥିବାବେଳେ ଶିକ୍ଷକ ମଧ୍ୟ ଖୁସି ଅନୁଭବ କରିଛନ୍ତି। ରେଳମନ୍ତ୍ରୀ ଅଶ୍ଵିନୀ ପୁରୀ ଜିଲ୍ଲାରେ ପୁରୀ କୋଣାର୍କ ରେଳପଥର କାର୍ଯ୍ୟ ତଦାରଖ ପରେ ତ୍ବରାନ୍ବିତ ହେବ ବୋଲି କହିଛନ୍ତି ।
ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ୩ ଦିନିଆ ଗସ୍ତରେ ରାଜ୍ୟର 419 କିଲୋମିଟର ଗସ୍ତ କରିବା ସହ 115ଟି ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ରାଜ୍ୟରେ ଆୟୋଜିତ ହେବ ଜନ 'ଆଶୀର୍ବାଦ ଯାତ୍ରା' । ୬ଟି ଲୋକସଭା କ୍ଷେତ୍ର ଓ ୭ଟି ଜିଲ୍ଳାରେ ଉଭୟ କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକ୍ରମ କରିବେ । ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସୁପରିଚାଳନା ପାଇଁ ଟିମ ଗଠନ କରିଛି ରାଜ୍ୟ ବିଜେପି । ଦେଶବ୍ୟାପୀ ବିଜେପି ପକ୍ଷରୁ ଚାଲିଥିବା ଜନ ଆଶୀର୍ବାଦ ଯାତ୍ରା ଯୋଗୁଁ ରାଜ୍ୟ ଗସ୍ତରେ ଏହି ୨ ମନ୍ତ୍ରୀ ଆସିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ