ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ପ୍ୟାକେଜ, ବିସ୍ଥାପିତଙ୍କୁ ମିଳିବ କ୍ଷତିପୂରଣ

ପୁରୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଥଇଥାନ ପ୍ୟାକେଜର ଘୋଷଣା କରିଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ଜୋନରେ ବିସ୍ଥାପିତଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ଫାଇଲ ଫଟୋ

By

Published : Sep 2, 2019, 4:35 PM IST

ଭୁବନେଶ୍ବର: ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ସ୍ବତନ୍ତ୍ର ଥଇଥାନ ପ୍ୟାକେଜ । ପୁରୀ ପାଇଁ ଶ୍ରୀମନ୍ଦିରର ସୁରକ୍ଷା ଜୋନ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଜୋନରେ ଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତି ଅଧିଗ୍ରହଣ ପାଇଁ 2013 ଜମି ଅଧିଗ୍ରହଣ ଆଇନ ସହିତ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଘୋଷଣା କରିଛନ୍ତି ।

ଏହି ନୀତି ଅନୁଯାୟୀ, ବାସଗୃହ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ ସମ୍ପତ୍ତିର ଅଧିଗ୍ରହଣ କ୍ଷେତ୍ରରେ ଜମି ଅଧିଗ୍ରହଣ ଓ ପୁନର୍ବାସ ଆଇନ 2013 ସହ ସ୍ବତନ୍ତ୍ର ଥଇଥାନ ଓ କ୍ଷତିପୂରଣ ଦିଆଯିବ । ସ୍ଥାନାନ୍ତରିତ ହେଉଥିବା ପରିବାର ଗୁଡିକୁ ପରିବହନ ତଥା ଆନୁସଙ୍ଗିକ ଖର୍ଚ୍ଚ ପାଇଁ 50 ହଜାର ଟଙ୍କା ତୁରନ୍ତ ସହୟତା ଦିଆଯିବ । ବିସ୍ଥାପିତ ପରିବାର ଗୁଡିକ ବାସଗୃହ କିମ୍ବା ଜମି ପାଇବା ପର୍ଯ୍ୟନ୍ତ ସେମାନଙ୍କୁ ମାସିକ 10 ହଜାର ଟଙ୍କା ଘରଭଡା ସହାୟତା ଦିଆଯିବ । ଏକକାଳୀନ ସହାୟତା ନେଉଥିବା ପରିବାର ପାଇଁ ଏହା ପ୍ରଯୁଜ୍ୟ ନୁହେଁ ।

ପୁନର୍ବାସ ଯୋଜନାରେ ପ୍ରତ୍ୟେକ ବିସ୍ଥାପିତ ପରିବାର ପାଇଁ ତିନୋଟି ଇଚ୍ଛାଧୀନ ସହାୟତା ମଧ୍ୟରୁ ଯେକୌଣସି ଗୋଟିଏକୁ ବାଛିବାକୁ ସୁଯୋଗ ଦିଆଯାଇଛି । ପ୍ରଥମଟି ହେଲା ଗୋଟିଏ ପରିବାର ଏକକାଳୀନ 30 ଲକ୍ଷ ଟଙ୍କାର ସହାୟତା ନେଇପାରିବେ । ଦ୍ବିତୀୟରେ ମନ୍ଦିରର 1.5 କିଲୋମିଟର ଅଂଚଳ ମଧ୍ୟରେ ପ୍ରସ୍ତାବିତ ପୁନର୍ବାସ ଓ ଥଇଥାନ କଲୋନୀରେ 520 ବର୍ଗଫୁଟ ପରିମିତ ଘର କିମ୍ବା ତୃତୀୟରେ ମନ୍ଦିରର ଦୁଇ କିଲୋମିଟର ମଧ୍ୟରେ 40X20 ଫୁଟର ଏକ ଜାଗା । ଏକକାଳୀନ ସହାୟତା ନେଇଥିବା ପରିବାର ଘରଘଡା ପାଇବେ ନାହିଁ ।

ଦୋକାନ ଘର ଅଧିଗ୍ରହଣ ସହୟତା ଯୋଜନାରେ କ୍ଷତିପୂରଣ ବାବଦରେ ପରିବହନ ଓ ଅନ୍ୟାନ କାର୍ଯ୍ୟ ପାଇଁ ଏକକାଳୀନ 50 ହଜାର ଟଙ୍କା ସହାୟତା ମିଳିବ । ଘରଭଡା ସହୟତା ବାବଦରେ ଦୋକାନ ଘର ପାଇଁ ମଧ୍ୟ 2 ପ୍ରକାର ସହୟତା ଘୋଷଣା କରାଯାଇଛି । ସେଥିମଧ୍ୟରୁ ସେମାନେ ଯେକୌଣସି ଗୋଟିଏ ବାଛିପାରିବେ । ପ୍ରଥମଟି ହେଲା 200 ବର୍ଗ ଫୁଟରୁ କମ 200ରୁ 500 ବର୍ଗଫୁଟ ଏବଂ 500 ବର୍ଗଫୁଟରୁ ଅଧିକ ବିଲ୍ଟ ଅପ ଏରିଆରେ ଥିବା ଦୋକାନ ପାଇଁ ମାସିକ ଯଥାକ୍ରମେ 5ହଜାର, 10ହଜାର ଓ 15 ହଜାର ଟଙ୍କାର ଘରଭଡା ଦିଆଯିବ କିମ୍ବା ଦ୍ବିତୀୟ ପ୍ରସ୍ତାବ ଅନୁଯାୟୀ ଜିଲ୍ଲପାଳଙ୍କ ସହୟତାରେ ପୁରୀର ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସରେ ଉପଲବ୍ଧ ଦୋକାନ ଘର ଦିଆଯିବ । ତେବେ ପୁର୍ନବାସ ସହାୟତାରେ ସୁରକ୍ଷା ଜୋନରେ ଥିବା ପ୍ରତ୍ୟେକଟି ଦୋକାନ ଘର ପାଇଁ ଥଇଥାନ ବ୍ୟବସ୍ଥା କରାଯିବ ।

ଲଜ ଅଧିଗ୍ରହଣ ଯୋଜନାରେ ଯେଉଁ ଲଜ ଗୁଡିକ 1500 ବର୍ଗଫୁଟରୁ ଅଧିକ ସେମାନଙ୍କ ପାଇଁ ନିର୍ଦ୍ଧାରିତ ପୁନର୍ବାସ ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଓ ଅନ୍ୟାନ ସହାୟତା ବ୍ୟବସ୍ଥା କରାଯାଇଛି । 3000 ବର୍ଗ ଫୁଟରୁ ଅଧିକ ଅଞ୍ଚଳରେ ଥିବା ଲଜଗୁଡିକୁ 10 ଲକ୍ଷ ଟଙ୍କା ଏବଂ 3 ହଜାର ବର୍ଗଫୁଟରୁ କମ ଅଞ୍ଚଳରେ ଥିବା ଲଜ ଗୁଡିକ ପାଇଁ 5 ଲକ୍ଷ ଟଙ୍କା ତୁରନ୍ତ ସହୟାତ ପ୍ରଦାନ କରାଯିବ । ଏତଦବ୍ୟତିତ ପ୍ରତି ଲଜକୁ ବର୍ଗଫୁଟ ପିଛା 25 ଟଙ୍କା ଲେଖାଏଁ ମାସିକ ଆର୍ଥିକ ସହୟାତ 18 ମାସ ପର୍ଯ୍ୟନ୍ତ ଦିଆଯିବ ।

ପୁନର୍ବାସ ସହୟତାରେ ଲଜ ମାଲିକମାନେ ବିଲ୍ଟ ଅପ ଏରିଆର ପ୍ରତି ବର୍ଗଫୁଟ ପାଇଁ 2ହଜାର ଟଙ୍କା ଲେଖାଏଁ ଏକକାଳୀନ ସହାୟତା ନେଇପାରିବେ କିମ୍ବା ବଡଦାଣ୍ଡର ଉଭୟ ପାର୍ଶ୍ବରେ 300 ମିଟର ମଧ୍ୟରେ ସେମାନେ ଚାହିଁଲେ 50X30, 50X40, 50X60 ବର୍ଗଫୁଟ ଯାଗା ଯୋଗାଇଦିଆଯିବ । ଏଥିରେ ଲଜ ନିର୍ମାଣ ପାଇଁ ବର୍ଗଫୁଟ ପିଛି 750 ଟଙ୍କା ଲେଖାଏଁ ଦିଆଯିବ ।

ଅସ୍ଥାୟୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏକକାଳୀନ ସହାୟତା ବାବଦରେ 30 ହଜାର ଟଙ୍କା ଦିଆଯିବ ଏବଂ ସେମାନଙ୍କ ବ୍ୟବସାୟ ପାଇଁ ଜିଲ୍ଲାପାଳ ନିର୍ଦ୍ଧାରିତ ଯାଗା ଯୋଗାଇ ଦେବେ ।

ସେହିଭଳି ସୁରକ୍ଷିତ ଜୋନରେ ଥିବା ମଠ ପାଇଁ ଏକ ବିସ୍ତ୍ରୃତ ଥଇଥାନ, ସଂରକ୍ଷଣ ଏବଂ ପୁନର୍ବାସ ବ୍ୟବସ୍ଥା କରାଯାଇଛି । ପୁରୀ ଜିଲ୍ଲପାଳ ସଂପୃକ୍ତ ପକ୍ଷମାନଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ଗ୍ରହଣ କରିବେ । ମଠର ଗାଦି ଏବଂ ପ୍ରତିଷ୍ଠିତ ଦେବାଦେବୀ ପୀଠର ସଂରକ୍ଷଣ କରାଯିବ । ପ୍ରତ୍ୟେକ ମଠର ସ୍ବତନ୍ତ୍ର ପରିଚୟ ରହିଥିବାରୁ ସେଗୁଡିକର ପୁନର୍ବିନ୍ୟାସ ସମୟରେ ସଂପୃକ୍ତ ମଠର କୀର୍ତ୍ତିରାଜିର ସଂରକ୍ଷଣ କରାଯିବା ସହିତ ଶ୍ରୀମନ୍ଦିରରେ ସେବାପାଇଁ ଥିବା ପାରମ୍ପାରିକ ବ୍ୟବସ୍ଥା ବଜାୟ ରଖାଯିବ ।

ଏହି ମଠଗୁଡିକରେ ପାର୍କିଂ ବ୍ୟବସ୍ଥା ସହିତ ସେମାନଙ୍କର ଆର୍ଥିକ ସୁରକ୍ଷା ପାଇଁ ମାର୍କେଟ କମ୍ପ୍ଲେକ୍ସରେ ଦୋକାନ ଘର ଯୋଗାଇ ଦିଆଯିବ । ଏହି ପ୍ୟାକେଜ ଜିଲ୍ଲାପାଳଙ୍କ ଦ୍ବାରା କାର୍ଯ୍ୟକାରୀ କରାଯିବ । ଜିଲ୍ଲାପାଳ ସମ୍ପୃକ୍ତ ପକ୍ଷଙ୍କ ସହିତ ଆଲୋଚନା କରି କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ଅନୁମୋଦନ କ୍ରମେ ଏହି ପ୍ୟାକେଜରେ ଆବଶ୍ୟକସ୍ଥଳେ ପରିବର୍ତ୍ତନ କରିପାରିବେ । ବିଜ୍ଞପ୍ତି ପ୍ରକାଶ ପାଇବାର 30 ଦିନ ମଧ୍ୟରେ ଯେଉଁମାନେ ସ୍ବେଚ୍ଛାକୃତ ଭାବେ ସୁରକ୍ଷା ଜୋନରେ ଥିବା ସେମାନଙ୍କର ସମ୍ପତ୍ତି ସରକାରଙ୍କୁ ହସ୍ତାନ୍ତର କରିବେ ସେମାନଙ୍କୁ ପ୍ୟାକେଜ ସହିତ 10 ପ୍ରତିଶତ ଅଧିକ ଆର୍ଥିକ ସହାୟତା ଦିଆଯିବ ।

ଭୁବନେଶ୍ବରରରୁ ଅଜିତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details