ଭୁବନେଶ୍ବର:କରୋନା ମହାମାରୀ ଭିତରେ ବର୍ତ୍ତମାନ ରାଜ୍ୟରେ ଚିନ୍ତା ବଢ଼ାଇଛି ମଙ୍କିପକ୍ସ । ଦେଶରେ ୪ଟି ମଙ୍କିପକ୍ସ ଭୂତାଣୁ କେସ ସାମ୍ନାକୁ ଆସିଛି । ଏହାପରେ ସତର୍କତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, "ମିଳିମିଳା ଓ ହାଡଫୁଟି ଠାରୁ ମଙ୍କିପକ୍ସର ସଂକ୍ରମଣ କ୍ଷମତା ବହୁତ କମ୍ । ମଙ୍କିପକ୍ସକୁ WHO ମ୍ୟାଟର ଅଫ କନସର୍ଣ୍ଣ ବୋଲି କହିଛି । ବିଶ୍ୱରେ ପାଖାପାଖି 21 ହଜାର କେସ ରିପୋର୍ଟ ହେଲାଣି । ଏଥିସହ ଆଫ୍ରିକା ଓ ୟୁରୋପ ମହାଦେଶରେ ଅଧିକ ବ୍ୟାପିଛି । ଭାରତରେ ବର୍ତ୍ତମାନ ସୁଦ୍ଧା 4ଟି କେସ ସାମ୍ନାକୁ ଆସିଛି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ମଙ୍କି ପକ୍ସରେ ମୃତ୍ୟୁ ହାର ମାତ୍ର 1ରୁ 10 ପ୍ରତିଶତ ଭିତରେ ରହୁଛି । ସମଗ୍ର ବିଶ୍ୱରେ ମଙ୍କିପକ୍ସରେ 11 ଜଣଙ୍କର ମୃତ୍ୟୁ ହୋଇଛି । ମଙ୍କି ପକ୍ସର ସଂକ୍ରମଣ କ୍ଷମତା ମଧ୍ଯ ଅଧିକ ନାହିଁ । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ରୋଗ ବ୍ୟାପୁଛି" ।