ଭୁବନେଶ୍ବର: ରସୁଲଗଡ ଛକରେ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ହଟିଛି ରାସ୍ତାରୋକ । ଆନ୍ଦୋଳନକାରୀଙ୍କ ଦାବି ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପୋଲିସ କମିଶନର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଥମିଛନ୍ତି । ବର୍ତ୍ତମାନ କଟକ-ଭୁବନେଶ୍ବର ରାସ୍ତାରେ ଯାତାୟତ ସ୍ବାଭାବିକ ରହିଛି ।
ଏ ନେଇ ସ୍ଥାନୀୟ ଲୋକ ଓ ପୋଲିସଙ୍କ ମଧ୍ୟରେ ଏକ ବୈଠକ ବସିବ। ସ୍ଥାନୀୟ ଲୋକ ପୋଲିସକୁ କିଛି ନିଶା ବେପାରୀଙ୍କୁ ଚିହ୍ନଟ କରିବେ । ଏହାଦ୍ବାରା ଖୁବ ଶୀଘ୍ର ନିଶା ବେପାରୀ ଓ ବିଭିନ୍ନ ଅପରାଧୀକ ମାମଲାରେ ସମ୍ପୃକ୍ତ ଦୋଷୀଙ୍କୁ ଖୁବ ଶୀଘ୍ର ଧରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି କମିଶନର । ଏହି ଘଟଣା ଏବେ ସ୍ପେଶାଲ ସ୍କ୍ବାର୍ଡକୁ ଦିଆଯିବ। ଖୁବ ଶୀଘ୍ର ଅଭିଯୁକ୍ତମାନେ ଗିରଫ ହେବେ ବୋଲି କହିଛନ୍ତି କମିଶନର ସତ୍ୟଜିତ ମହାନ୍ତି ।
ରସୁଲଗଡ ଛକରେ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ପରେ ତାତିଥିଲେ ରାଜଧାନୀବାସୀ । ସହରରେ ଦିନକୁ ଦିନ ଲୁଟ, ଚୋରୀ, ଆକ୍ରମଣ ଭଳି ଘଟଣା ବୃଦ୍ଧି ପାଉଥିବାକୁ ନେଇ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରାଯାଇଥିଲା । ତୁରନ୍ତ ଆକ୍ରମଣକାରୀକୁ ଗିରଫ କରିବା ସହ ଅପରାଧ ଭିଆଉଥିବା ସ୍ମଗଲରଙ୍କୁ ଧରିବା ଲାଗି ଆକ୍ରୋଶିତ ଲୋକେ ଦାବି କରିଥିଲେ ।