ଭୁବନେଶ୍ବର:ରାଜଧାନୀ ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷକୁ ନେଇ ହତ୍ୟା ମାମଲା । ହତ୍ୟାକାଣ୍ଡକୁ ତିନି ଦିନ ବିତିଥିଲେ ସୁଦ୍ଧା ପୋଲିସର ହାତ ଖାଲି । ବାହାରେ ଖୁଲମଖୁଲା ବୁଲିଛି ହତ୍ୟା ଅଭିଯୁକ୍ତ । ପୋଲିସ ଉପରେ ଶାସକ ଦଳର ଚାପ ଯୋଗୁଁ ଅଭିଯୁକ୍ତକୁ ଧରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ପୋଲିସର ନିଷ୍କ୍ରିୟତା ବିରୁଦ୍ଧରେ ଏବଂ ଅଭିଯୁକ୍ତକୁ ଗିରଫ ଦାବିରେ ସୋମବାର ଏୟାରଫିଲ୍ଡ ଥାନା ଘେରାଉ କରିଛନ୍ତି ଶତାଧିକ ଲୋକେ ।
ବିକ୍ଷୋଭକାରୀଙ୍କ ଅଭିଯୋଗ, ପୋଲିସର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବ ଯୋଗୁଁ ହତ୍ୟାକାରୀ ବାହାରେ ବୁଲୁଛି । ଏପରିକି ବାଇକ ଯୋଗେ ପୁରୀରୁ ଭୁବନେଶ୍ବର ଘୁରି ବୁଲୁଥିବାବେଳେ ପୋଲିସ ତାକୁ ଧରିବାରେ ଫେଲ୍ ହୋଇଛି । ପୋଲିସର ଏ ଦିଗରେ ନିଷ୍କ୍ରିୟତା ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ପ୍ରକାଶ ପାଇଛି । ମୃତକଙ୍କୁ ନ୍ୟାୟ ଦାବିରେ ସୁନ୍ଦରପଦା ଅଞ୍ଚଳର ଶତାଧିକ ଲୋକେ ଏୟାରଫିଲ୍ଡ ଥାନା ଆଗରେ ନାରାବାଜି କରିଛନ୍ତି ।