ଭୁବନେଶ୍ବର: ଆସିଲା ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକାରୁ ଏହି ତଥ୍ୟ ମିଳିଛି। ତାଲିକାରେ ପ୍ରଦାନ ହୋଇଥିବା ତଥ୍ୟ ଅନୁସାରେ ବର୍ଷକ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ପ୍ରାୟ 15 କୋଟି ଟଙ୍କା ବଢିଛି । ନିଜ ଭଉଣୀଠୁ ଆଣିଥିବା ୧୫ଲକ୍ଷ ଟଙ୍କାର ଋଣକୁ ପରିଶୋଧ କରିନଥିବା ଏଥିରେ ଏଥିରେ ଉଲ୍ଲେଖ ରହିଛି । ଆଇଟି ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରାୟ ୨୬ ଲକ୍ଷ ଟଙ୍କାର ମୋଟ୍ ସମ୍ପତ୍ତି ସହ ରାଜ୍ୟର ସବୁଠୁ ଗରିବ ମନ୍ତ୍ରୀ ରହିଛନ୍ତି ।
ଏହି ତାଲିକାରେ ନବୀନଙ୍କ ପଛକୁ ରହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ନବ ଓ ତାଙ୍କ ପରିବାର ପାଖରେ ପ୍ରାୟ ୩୨ଲକ୍ଷ ନଗଦ, ଓ ପ୍ରାୟ ଏକ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଓ ଦୁଇ କୋଟି ଟଙ୍କାରୁ ଅଧିକ ଫିକ୍ସଡ ଡିପୋଜିଟ୍ ରହିଛି । ସବୁଠୁ ବଡ କଥା ହେଉଛି ତାଙ୍କ ପାଖରେ ୨ଟି ରିଭଲଭର ଓ ଗୋଟିଏ ରାଇଫଲ୍ ଅଛି ।
ନବ ଦାସଙ୍କ ପଛକୁ ଧନୀ ମନ୍ତ୍ରୀ ଭାବେ ରହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ତାଙ୍କର ସମ୍ପତ୍ତିର ପରିମାଣ ହେଉଛି ପ୍ରାୟ 10 କୋଟି ଟଙ୍କା । ଗତ ବର୍ଷକ ମଧ୍ୟରେ ଏହା ପାଖାପାଖି 4 କୋଟି ବଢିଛି । ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ମୋଟ ସମ୍ପତ୍ତି ପ୍ରାୟ ୪୨ଲକ୍ଷ ଟଙ୍କା ହୋଇଥିବାବେଳେ ବର୍ଷକ ମଧ୍ୟରେ ମାତ୍ର ୨.୨୦ଲକ୍ଷ ଟଙ୍କା ବଢ଼ିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମ୍ପତ୍ତିରେ ପ୍ରାୟ ୩୫ଲକ୍ଷ ଟଙ୍କାର ବୃଦ୍ଧି ହୋଇଛି । ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୩.୯୨କୋଟି ଟଙ୍କା ରହିଛି ।