ଭୁବନେଶ୍ବର: ଓଡିଶା ବିଧାନସଭା ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡିଶା ଶାଖା ଦ୍ବାରା ପ୍ରସ୍ତୁତ ପ୍ରକଳ୍ପକୁ ସର୍ବଭାରତୀୟ ସ୍ତରରେ ସମ୍ମାନିତ କରାଯାଇଛି । ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଜି ଅନୁଷ୍ଠିତ ସମ୍ମିଳନୀରେ ଓଡିଶା ବିଧାନସଭାକୁ କମ୍ପ୍ୟୁଟର ସୋସାଇଟି ଅଫ ଇଣ୍ଡିଆ ତରଫରୁ ଉତ୍କର୍ଷ ପୁରସ୍କାରରେ ସମ୍ମାନିତ କରାଯାଇଛି । ମୋତିଲାଲ ନେହେରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୧୯ତମ ସିଏସଆଇ ଏସଆଇଜି ଇ-ଗଭର୍ଣ୍ଣାନ୍ସ ଆୱାର୍ଡସ ୨୦୨୧ରେ ଏହି ଉତ୍କର୍ଷ ପୁରସ୍କାର ମିଳିଛି ।
ଦିନିକିଆ ଏହି କର୍ମଶାଳାରେ ଭାରତରୁ ବଛା ବଛା ଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପ ଗୁଡିକୁ ମନୋନୀତ କରାଯାଇ ଏହା ଉପରେ ବକ୍ତାମାନଙ୍କ ତରଫରୁ ଆଲୋକପାତ କରାଯାଇଛି । ଏଥିରେ ଓଡିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ ଭାଗ ନେଇଛନ୍ତି । ଓଡିଶା ବିଧାନସଭାର ପେପରଲେସ୍ ଅଫିସ ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରି ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ବାଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ରଙ୍କ ବଳିଷ୍ଠ ନେତୃତ୍ବ, ଦିଗଦର୍ଶନ ଓ ପ୍ରେରଣା ଏବଂ ବିଧାନସଭା ସଚିବଙ୍କ ସମେତ କର୍ମଚାରୀମାନଙ୍କ ଅକ୍ଳାନ୍ତ ଉଦ୍ୟମ ବଳରେ ଓଡିଶା ବିଧାନସଭା ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନଆଇସି), ଓଡିଶା ଶାଖା ତରଫରୁ ଦିଆଯାଇଥିବା ପ୍ରୋଜେକ୍ଟ ଓଡିଶା ଆସେମ୍ବଲ୍ଲୀ ଜର୍ଣ୍ଣି ଟୁଆର୍ଡ୍ସ ଡିଜିଟାଲ ଟ୍ରାନ୍ସଫରମେର୍ଶନକୁ(ପେପର ଲେସ ଆସେମ୍ବଲ୍ଲୀ) ପୁରସ୍କୃତ କରାଯାଇଛି ।