ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଯାଇଛି ପଞ୍ଚାୟତ ନିର୍ବାଚନ (panchayat election) ପାଇଁ ପ୍ରକ୍ରିୟା । ଆସନ୍ତାବର୍ଷ ଅର୍ଥାତ ୨୦୨୨ ମସିହା ଫେବୃୟାରୀ ମାସରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟ ନିର୍ବାଚନ ଆୟୋଗ (state election commission ) ଏନେଇ ଆନୁସଙ୍ଗିକ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ନିର୍ବାଚନର ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ଆଜି(ଶୁକ୍ରବାର) ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ବାଲାଟ୍ ବକ୍ସ ପ୍ରସ୍ତୁତ ରଖିବା ପାଇଁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ ।
panchayat election: ବାଲଟ ବକ୍ସ ପ୍ରସ୍ତୁତ ରଖିବାକୁ ନିର୍ବାଚନ ଆୟୋଗଙ୍କ ଚିଠି
୨୦୨୨ ମସିହା ଫେବୃୟାରୀ ମାସରେ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ଆରମ୍ଭ ହେଲା ନିର୍ବାଚନ ପ୍ରକ୍ରିୟା । ବାଲଟ ବକ୍ସ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ବାଚନ ଆୟୋଗଙ୍କ ଚିଠି । ଅଧିକ ପଢନ୍ତୁ..
ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ଗତ ୨୯ ତାରିଖରେ ନିର୍ବାଚନ ଅୟୋଗଙ୍କୁ ଜଣାଇଥିଲେ । ସେଥିପାଇଁ ପ୍ରସ୍ତୁତ ହେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ ଅୟୋଗ । ଧାର୍ଯ୍ୟ ସମୟ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି । ଖୁବଶୀଘ୍ର ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ (delimitation and reservation process) ନେଇ ସବିଶେଷ ତଥ୍ୟ ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇବେ ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କୁ ରାଜ୍ୟ ନିର୍ବାଚନ ଅୟୋଗ ଚିଠି ଲେଖିଛନ୍ତି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ରହିବ । ସେହି ଅନୁସାରେ ସଂରକ୍ଷଣ କରି ରାଜ୍ୟ ସରକାର ସବିଶେଷ ତଥ୍ୟ ଖୁବଶୀଘ୍ର ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବେ ବୋଲି ଜଣାପଡ଼ିଛି । ସୀମା ପୁନନିର୍ଦ୍ଧାରଣ ଏବଂ ସ୍ଥାନ ସଂରକ୍ଷଣ ପ୍ରକ୍ରିୟା ଶେଷ କରିବା ପାଇଁ ଗତ ମାର୍ଚ୍ଚ ମାସରେ ରାଜ୍ୟ ନିର୍ବାଚନ ଅୟୋଗ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ବର୍ତ୍ତମାନ ପଞ୍ଚାୟତରାଜ ବ୍ୟବସ୍ଥାରେ ୬୪ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିଛି । ୨୦୧୭ ଫେବୃଆରୀ ମାସରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ