ଭୁବନେଶ୍ବର: ରାଜ୍ୟରେ ବିଏସଏନଏଲ୍ ଆଉ ନୂଆ ଟାୱାର ଲଗାଇବାକୁ ରାଜି ନାହିଁ । ତେଣୁ, ଅପହଞ୍ଚ ଅଞ୍ଚଳରେ ଟାୱାର ଲଗାଇବାକୁ ଘରୋଇ କମ୍ପାନୀଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ସମସ୍ୟା ଆଳ ଦେଖାଇ ଘରୋଇ କମ୍ପାନୀ ବି ଟାୱାର ଲଗାଇବା ଲାଗି ପଛଘୁଞ୍ଚା ଦେଉଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ।
ମାଓ ପ୍ରଭାବିତ କିଛି ଜିଲ୍ଲାରେ ଟାୱାର ବସିବାରେ ସମସ୍ୟା ରହିଛି । ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼ ଓ ଗଜପତିର କିଛି ଅଞ୍ଚଳରେ ନେଟୱାର୍କ ସମସ୍ୟା ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏ ସବୁ ସ୍ଥାନ ଭୌଗଳିକ ଦୃଷ୍ଟିରୁ ଅପହଞ୍ଚ ରହିଛି । ବିଏସଏନଏଲ୍ ଆଉ ନୂଆ ଟାୱାର ଲଗାଇବାକୁ ରାଜି ନାହିଁ । ଘରୋଇ କମ୍ପାନୀ ମଧ୍ୟ ସେଠାରେ ଟାୱାର ବସାଇବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି ।