ସମ୍ବଲପୁର: ଓଡିଆ ପୁଅ ପ୍ରମୋଦ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ମିଳିଛି ପଦନ୍ନୋତି । ଏହି ଗୁଜୁରାଟ କ୍ୟାଡର ଆଇଏଏସ ଅଫିସର ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ହେବାପରେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ଓଡିଆ ଅଫିସର ନୃପେନ୍ଦ୍ର ମିଶ୍ର ଅବସର ନେବା ପରେ ତାଙ୍କ ସ୍ଥାନରେ ପ୍ରମୋଦଙ୍କୁ ମିଳିଛି ଏହି ଦାୟିତ୍ବ । ଜଣେ ଓଡିଆଙ୍କ ସ୍ଥାନରେ ଆଉ ଜଣେ ଓଡିଆଙ୍କୁ ନିଯୁକ୍ତି ଦେବା ଏହା ଦେଶରେ ପ୍ରଥମ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଡିଆଙ୍କ ଗୁରୁତ୍ବ ଆହୁରି ବୃଦ୍ଧି ପାଇବା ପରେ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି । ବିଶେଷ କରି ସମ୍ବଲପୁରରେ ଏକ ପ୍ରକାର ଉତ୍ସବର ମାହୋଲ । କାରଣ ଗତ କିଛିଦିନ ତଳେ ପ୍ରମୋଦ ମିଶ୍ର ନୂଆଖାଇ ପାଳନ କରିବାକୁ ସମ୍ବଲପୁର ଆସିଥିଲେ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର ତେବେ ପ୍ରମୋଦଙ୍କ ମିଶ୍ରଙ୍କ ବାଲ୍ୟବନ୍ଧୁ ତଥା ସହପାଠୀ ଭବାନୀ ଶଙ୍କର ହୋତା କହିଛନ୍ତି ପ୍ରମୋଦ ଜଣେ ମେଧାବୀ ଛାତ୍ର ଥିଲେ । ତାଙ୍କର ବାପା ପ୍ରସନ୍ନ କୁମାର ମିଶ୍ର ଜଣେ ଆଇନଜୀବୀ । ପ୍ରମୋଦଙ୍କର ପ୍ରାଥମିକ ଶିକ୍ଷା ସମ୍ବଲପୁର ପଟ୍ଟନାୟକପଡାର ପ୍ରାଥମିକ ବିଦ୍ୟାଳୟରେ ଶେଷ ହେବା ପରେ ଜିଲ୍ଲାର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲରୁ ହାଇସ୍କୁଲ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ଗଙ୍ଗଧର ମେହେର କଲେଜରୁ ସ୍ନାତକ ସାରି ଦିଲ୍ଲୀ ସ୍କୁଲ ଅଫ ଇକୋନମିକ୍ସରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ଛାତ୍ର ଅବସ୍ଥାରୁ ଜଣେ ପରୋପକାରୀ ବ୍ୟକ୍ତି ଥିଲେ ସେ ଏବଂ ନିଜ କର୍ତ୍ତବ୍ୟ ଓ ଦାୟିତ୍ବ ପ୍ରତି ସେ ବେଶ ସଚେତନ ରୁହନ୍ତି।
ସେହିପରି ଆଉ ଜଣେ ପ୍ରମୋଦଙ୍କ ବାଲ୍ୟ ବନ୍ଧୁ ଅଭୟ ପାଢୀ ମଧ୍ୟ ପ୍ରମୋଦଙ୍କୁ ଅନେକ ପ୍ରଂଶସା କରିବା ସହ ତାଙ୍କର କାର୍ଯ୍ୟଶୈଳୀ ଓ ସରଳତାକୁ ଭୂରିଭୂରି ପ୍ରଂଶସା କରିଛନ୍ତି । ଯେତେ ସଫଳତା ପାଇଲେ ମଧ୍ୟ ନିଜ ପରମ୍ପରା ସଂସ୍କୃତିଓ ସହରକୁ କେବେ ଭୁଲିନାହାଁନ୍ତି ବୋଲି କହିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ