ଭୁବନେଶ୍ବର: ବର୍ତ୍ତମାନ କରୋନା ସଂକ୍ରମଣ ବହୁ ପରିମାଣରେ ହ୍ରାସ ପାଇଥିବାରୁ ଦଶହରା ପରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଆସନ୍ତା ଦିନରେ ଯଦି କୋରୋନା ସଂକ୍ରମଣ ବୃଦ୍ଧି ନହୁଏ ତେବେ ଦଶହରା ପରେ 1ମ ରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସ୍କୁଲ ଖୋଲିବା ନେଇ ଯେକୌଣସି ସମୟରେ ନିଷ୍ପତ୍ତି ନିଆଯାଇପାରେ । ବିଭିନ୍ନ ବିଭାଗରୁ ଆସିଥିବା ପ୍ରସ୍ତାବ ଆଧାରରେ ସରକାର ନିଷ୍ପତ୍ତି ନେବେ। ତା ପୂର୍ବରୁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ସରକାରଙ୍କ ନିଷ୍ପତ୍ତି ପୂର୍ବରୁ ବିଭିନ୍ନ ଦୃଷ୍ଟିକୋଣରୁ ଏକାଧିକ ସଂସ୍କାରମୂଳକ ପରାମର୍ଶ ରଖିଲେ ଅଭିଭାବକ ଓ ବୁଦ୍ଧିଜୀବୀ।
ସ୍କୁଲ ଖୋଲିବା ପ୍ରସଙ୍ଗରେ ପରାମର୍ଶ ରଖିଛି ଅଭିଭାବକ ମହାସଂଘ। କୋରୋନାର ନିୟମ ମାନି ସ୍କୁଲ ଖୋଲାଯାଉ । କ୍ଲାସରେ କୋଭିଡ କଟକଣାକୁ ଗୁରୁତ୍ବ ଦିଆଯାଉ। ସ୍କୁଲକୁ ଛାତ୍ରଛାତ୍ରୀ ଆସିବାକୁ ନେଇ କୌଣସି ବାଧ୍ୟବାଧକତା ନ ରଖାଯାଉ ବୋଲି କହିଛନ୍ତି ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ।
ସେହିପରି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି, ଯୁଗ୍ମ ଅଯୁଗ୍ମ ଫର୍ମୁଲାକୁ ବିକଳ୍ପ ଭାବେ ଗ୍ରହଣ କରି ପ୍ରାଥମିକ ସ୍କୁଲ ଖୋଲାଯାଉ । ଆଜି ଯଦି 1ମ, 3ୟ, 5ମ, ସପ୍ତମ କ୍ଲାସ ହେବ, ଆସନ୍ତାକାଲି 2ୟ, 4ର୍ଥ, 6ଷ୍ଠ କ୍ଲାସ ହେଉ। ଆବଶ୍ୟକ ପଡ଼ିଲେ, ଶ୍ରେଣୀ ବି ଯୁଗ୍ମ ଭାବେ ଚାଲୁ କିମ୍ବା ଘଣ୍ଟାକୁ ଘଣ୍ଟା ବ୍ରେକ ଦେଇ କ୍ଲାସ ହେଉ ବୋଲି ପ୍ରାଥମିକ ଶିକ୍ଷକ ସଂଘ ପ୍ରସ୍ତାବ ଦେଇଛି ।