ଭୁବନେଶ୍ବର: ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ସଡକ ଦୁର୍ଘଟଣା । ପ୍ରତିଦିନ ଦୁର୍ଘଟଣା ଯୋଗୁଁ ଅନେକଙ୍କ ଜୀବନ ଯାଉଛି । ଫଳରେ ରାଜ୍ୟରେ ପ୍ରତିବର୍ଷ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢିବାର ଲାଗିଛି । ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମାଇବାକୁ ଏବେ ଆରମ୍ଭ ହୋଇଛି ପ୍ରୟାସ । ଦୁର୍ଘଟଣାରେ ଶିକାର ହୋଇଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ତାଲିମ ନେଉଛନ୍ତି କନଷ୍ଟେବଳ ଓ ହୋମଗାର୍ଡ ।
ଦୁର୍ଘଟଣା ଗ୍ରସ୍ତ ଲୋକକୁ ପ୍ରଥମେ ଆଶୁ ଚିକିତ୍ସା ଓ ପ୍ରାରମ୍ଭିକ ଚିକିତ୍ସା ଦେବା ପରେ ଅନେକ କ୍ଷେତ୍ରରେ ବଞ୍ଚିପାରିବ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି । ଏନେଇ ଆରମ୍ଭ ହୋଇଛି ଫାଷ୍ଟ ରେସ୍ପଣ୍ଡର ପ୍ରୟାସ । କନଷ୍ଟେବଳ ଓ ହୋମଗାର୍ଡଙ୍କୁ ପ୍ରଥମ ଫେଜରେ ଟ୍ରେନିଂ ଦିଆଯାଉଥିବା ବେଳେ ଢାବା କର୍ମଚାରୀଙ୍କୁ ମଧ୍ୟ ଏନେଇ ଟ୍ରେନିଂ ଦିଆଯିବ । ଫଳରେ ଅନେକ ଲୋକଙ୍କ ଜୀବନ ବଞ୍ଚାଇବାକୁ ଉଦ୍ୟମ ଜାରି ରହିବ । କାରଣ ପ୍ରତିବର୍ଷ ୫ହଜାରରୁ ଉର୍ଦ୍ଧ୍ଵ ଲୋକ ରାଜ୍ୟରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ।
ରିପୋର୍ଟ ଅନୁଯାୟୀ 2021ମସିହାରେ ସଡକ ଦୁର୍ଘଟଣାରେ 5 ହଜାର 2ଶହ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2020ରେ 4738 ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ 2020 ତୁଳନାରେ 2021ରେ ଏହା 7.24 ପ୍ରତିଶତ ବଢିଛି । ଏପରି ସ୍ଥଳେ ଦୁର୍ଘଟଣାରେ ଶିକାର ଲୋକଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ ଆରମ୍ଭ ହୋଇଛି । ଏନେଇ ପରିବହନ ବିଭାଗର ଜଏଣ୍ଟ କମିସନର କହିଛନ୍ତି ଯେ, ''ରାଜ୍ୟର ଦୁର୍ଘଟଣାର ହାର ଶତକଡା 48ପ୍ରତିଶତ ରହିଛି, ଯାହାକି ସାରା ଦେଶରେ ୩୩ ପ୍ରତିଶତ ରହିଛି । ତେବେ ମୃତ୍ୟୁହାର କମାଇବା ଆମର ପ୍ରଥମ ଦାୟିତ୍ବ । ଏନେଇ ଫାଷ୍ଟ ରେସ୍ପଣ୍ଡର ଭାବେ 4ହଜାର ଜଣ ଟ୍ରେନିଂ ନେଇସାରିଲେଣି । ଆଗକୁ ୩୦ହଜାର ଲୋକଙ୍କୁ ଟ୍ରେନିଂ ଦିଆଯିବା ପାଇଁ ଲକ୍ଷ୍ୟ ରହିଛି । ଏପରିକି ଢ଼ାବା କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ଯୋଜନା ରହିଛି । ଯାହାଦ୍ବାରା ଦୁର୍ଘଟଣା ସ୍ଥଳରେ ଢାବା ଟିଏ ଥିଲ ବି ଲୋକଟି ବଞ୍ଚିପାରିବ ଯଦି ବେସିକ ଲାଇଫ ସର୍ପୋଟ ଦିଆଯିବ ।''