ଭୁବନେଶ୍ବର: କୋରୋନା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ଦିନକୁ ଦିନ କୋରୋନା ଗୋଟେ ପରେ ଗୋଟେ ଦେଶକୁ ସଂକ୍ରମିତ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହା 110 ଦେଶକୁ ବ୍ୟାପି ସାରିଲାଣି । ତେଣୁ ଏଥିପ୍ରତି ଆମ ଦେଶ ତଥା ରାଜ୍ୟବାସୀଙ୍କୁ ସତର୍କତା ଅବଲମ୍ବନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ସୂଚାଇ ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ 1ଲକ୍ଷ 20 ହଜାରରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଛନ୍ତି । ଆମ ଦେଶରେ ଏପର୍ଯ୍ୟନ୍ତ 60 ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ଗୁଡିକ ହେଉଛି ଚୀନ, ଇଟାଲୀ, ଇରାନ, ଜାପାନ, ଦକ୍ଷିଣ କୋରିଆ ଓ ହଂକଂ । ତେଣୁ ସେହି ସବୁ ଦେଶକୁ ଏବେ ଅତି ଜରୁରୀ ନଥିଲେ ଯାତ୍ରା ନକରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଏହାସହ ଆମେରିକା ଓ ଇଂଲଣ୍ଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିବାରୁ ଓଡ଼ିଶାର ନାଗରିକଙ୍କୁ ସେଠାକୁ ନ ଯିବାକୁ କୁହାଯାଇଛି । ସେହିପରି ଆମ ଦେଶରେ ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଓ କେରଳରେ ଏହି ରୋଗୀ ଚିହ୍ନଟ ହୋଇଛନ୍ତି । ତେଣୁ ଏହି ସବୁ ଦେଶ ଓ ରାଜ୍ୟରୁ ଆସୁଥିବା ଲୋକଙ୍କୁ 14 ଦିନ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି ।