ଭୁବନେଶ୍ବର: କୋଭିଡ଼ ମହାମାରୀ ଭଳି କଠିନ ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ଉକ୍ତ ଯୋଜନାର ଅଗ୍ରଗତିରେ ଉଲ୍ଲେଖନୀୟ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା ଫଳରେ ପ୍ରାୟ 32 ଲକ୍ଷ ଶ୍ରମିକ ଉପକୃତ ହେବେ । ଦାଦନ ରୋକିବା ସହ ଗ୍ରାମୀଣ ଅର୍ଥନୀତି ସୁଦୃଢ ହେବା ବୋଲି ମନ୍ତ୍ରୀ ଆଶା ରଖିଛନ୍ତି ।
୨୦୨୦-୨୧ ଆର୍ଥିକ ବର୍ଷରେ ଜୁଲାଇ 1 ସୁଦ୍ଧା ୫.୦୩ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିଲା । ୨୦୨୧-୨୨ ଆର୍ଥିକ ବର୍ଷର ସେହି ସମୟ ସୁଦ୍ଧା ୭ କୋଟି ୫ ଲକ୍ଷ ୯୩ ହଜାର ୩ ଶହ ଶ୍ରମଦିବସ ସୃଷ୍ଟି ହୋଇପାରିଛି । ଯାହାକି ପୂର୍ବ ବର୍ଷ ତୁଳନାରେ ୪୦ % ଅଧିକ ହାସଲ ହୋଇଛି । ଚଳିତବର୍ଷ ୩୨ ଲକ୍ଷ ୧୮ ହଜାର ୫ ଜଣଙ୍କୁ ନିଯୁକ୍ତି ଯୋଗାଇ ଦିଆଯାଇ ୧୪୪୮ କୋଟି ୭୯ ଲକ୍ଷ ଟଙ୍କା ମଜୁରି ଆକାରରେ ପ୍ରଦାନ କରାଯାଇଛି ।
ଆର୍ଥିକବର୍ଷ ୨୦୨୧ - ୨୨ ସମୟରେ ରାଜ୍ୟ ମନରେଗାର ବିଭିନ୍ନ ପାରାମିଟରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଶ୍ରମଦିବସ ସୃଷ୍ଟିରେ ଶ୍ରେଷ୍ଠ ଚାରିଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ଗରିବ ଲୋକମାନଙ୍କର ଜୀବନ ଜୀବିକା ଏବଂ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ କରିବା ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷରେ ଜଳାଶୟ ଗୁଡ଼ିକର ନବୀକରଣ, ଜଳଛାୟା ପରିଚାଳନା, ଉଦ୍ୟାନକୃଷି ବୃକ୍ଷରୋପଣ, ରାସ୍ତାକଡ଼ ବୃକ୍ଷରୋପଣ, ଜଙ୍ଗଲ ସୃଷ୍ଟି, ପୋଖରୀ ଖନନ, ନଳକୂପ, ଜମିର ବିକାଶ, ନଡ଼ିଆ ଚାଷ, ସବୁଜ ଗୋଖାଦ୍ୟ ଫସଲ ଚାଷ ଇତ୍ୟାଦି ବିଭିନ୍ନ କାର୍ଯ୍ୟକଳାପ ଉପରେ ଗୁରୁତ୍ବ ଦିଆଯାଇଛି ।