ଓଡିଶା

odisha

ଆରୋଗ୍ୟ ହେଉଛନ୍ତି ବିରୋଧୀ ଦଳ ନେତା, ଶୁଭେଚ୍ଛୁଙ୍କୁ ସୋସିଆଲ ମିଡ଼ିଆରେ ଦେଲେ ଧନ୍ୟବାଦ

By

Published : Aug 18, 2021, 12:23 PM IST

ଧୀରେଧୀରେ ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସ୍ୱାସ୍ଥ୍ୟବସ୍ଥା ସୁଧାର ଆସିବା ପରେ ଶୁଭେଚ୍ଛୁଙ୍କୁ ସୋସିଆଲ ମିଡ଼ିଆରେ ଧନ୍ୟବାଦ ଜଣାଇଛନ୍ତି ପ୍ରଦୀପ୍ତ । ଅଧିକ ପଢନ୍ତୁ...

ଆରୋଗ୍ୟ ହେଉଛନ୍ତି ବିରୋଧୀ ଦଳ ନେତା, ଶୁଭେଚ୍ଛୁଙ୍କୁ ସୋସିଆଲ ମିଡ଼ିଆରେ ଦେଲେ ଧନ୍ୟବାଦ
ଆରୋଗ୍ୟ ହେଉଛନ୍ତି ବିରୋଧୀ ଦଳ ନେତା, ଶୁଭେଚ୍ଛୁଙ୍କୁ ସୋସିଆଲ ମିଡ଼ିଆରେ ଦେଲେ ଧନ୍ୟବାଦ

ଭୁବନେଶ୍ବର: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିଲେ ବି ସେ ଏବେ ସମ୍ପୂର୍ଣ୍ଣ ବିପଦମୁକ୍ତ ନୁହଁନ୍ତି । ତେଣୁ ଏମ୍ସ ଭୁବନେଶ୍ୱରରେ ରହି ସେ ଚିକିତ୍ସିତ ହେଉଛନ୍ତି । ଏମ୍ସର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ପ୍ରଦୀପ୍ତ ନିଜେ ଉଠି ବସିବା ସହ ଟିକେଟିକେ କଥା ମଧ୍ୟ ହେବାକୁ ଆରମ୍ଭ କରିଛନ୍ତି । କିନ୍ତୁ କୋଭିଡ଼ ପରବର୍ତ୍ତୀ ଜଟିଳ ସମସ୍ୟା ଯୋଗୁଁ ସେ ଝଡି ଯାଇଛନ୍ତି । ତେବେ ସ୍ୱାସ୍ଥ୍ୟ ଅବସ୍ଥା ସୁଧାର ଆସିବା ପରେ ଶୁଭେଚ୍ଛୁଙ୍କୁ ସୋସିଆଲ ମିଡ଼ିଆରେ ଧନ୍ୟବାଦ ଜଣାଇଛନ୍ତି ପ୍ରଦୀପ୍ତ ।

ପ୍ରଦୀପ୍ତ ଫେସବୁକରେ ଲେଖିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା’ ମାଣିକେଶ୍ଵରୀଙ୍କ ଅପାର କୃପାରୁ ମୁଁ ସୁସ୍ଥ ହେଉଛି । ଆରୋଗ୍ୟ କାମନା କରି ଭଗବାନଙ୍କ ପାଖରେ ଦୀପ ଜାଳି ମୋ ପାଇଁ ପୂଜା ଅର୍ଚ୍ଚନା କରିଥିବା ଏବଂ ମୋତେ ଭଲପାଉଥିବା ଜନସାଧାରଣଙ୍କ ପ୍ରାର୍ଥନା ଦ୍ବାରା ମୁଁ ଧିରେ ଧିରେ ସୁସ୍ଥ ହେଉଅଛି । ମୋର ସମସ୍ତ ଶୁଭେଚ୍ଛୁ ମାନଙ୍କୁ ହୃଦୟରୁ ଅନେକ ଅନେକ ଧନ୍ୟବାଦ । ମୁଁ କୋଭିଡରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ମୋ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇ ସମସ୍ତ ପ୍ରକାରର ଉନ୍ନତ ମାନର ଚିକିତ୍ସା ପାଇଁ ଏମ୍ସ ନିର୍ଦ୍ଦେଶକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗାଯୋଗରେ ଥିଲେ ।

ପରିବାରର ମାନସିକ ସ୍ଥିତିକୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀ ମୋ ସ୍ତ୍ରୀ ସହ କଥା ହେଇଥିଲେ । ମୋର ଜୀବନର ସବୁଠୁ କଷ୍ଟଦାୟକ ସମୟରେ ପ୍ରଧାନମନ୍ତ୍ରୀ ମୋ ପରିବାରର ମୁଖିଆ ସାଜି ମୋ ପରିବାର ସହ ଠିଆ ହୋଇଥିଲେ । ମୁଁ ଅନ୍ତର୍ମନରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ପ୍ରଦୀପ୍ତଙ୍କୁ କିଛି ଅସୁବିଧା ହେବାକୁ ଦେବି ନାହିଁ । ଏହି ବିଶ୍ୱାସର ସହ ପ୍ରତ୍ୟେକ ଦିନ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ବିଚାର ବିମର୍ଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋତେ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସବୁ ପ୍ରକାରର ଉଦ୍ୟମ କରିଥିବା କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି ।

ଏହା ସହ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଥିଲେ । ଡାକ୍ତର ଓ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ପାଇଁ ତାଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ । ବିଜେପିର ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦ, ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଦୀପ୍ତ । ବିପଦ‌ ସମୟରେ ସମସ୍ତେ ମୋର ପରିବାର ସହ ଠିଆ ହୋଇଥିଲେ ବୋଲି ସେ କହିଛନ୍ତି । ସେ ଆହୁରି ଲେଖିଛନ୍ତି ଯେ, ମୁଁ ଏବେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ । ଏବେ ମୁଁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଅଛି । ଆପଣ ମାନଙ୍କ ଅପାର ଭଲ ପାଇବା ଏବଂ ମାଁ ମାଣିକେଶ୍ଵରୀ , ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଧିରେ ଧିରେ ସୁସ୍ଥ ହେଉଅଛି ।

ମୋତେ ଫେସବୁକ୍ ଏବଂ ଟ୍ୱିଟର ମାଧ୍ୟମରେ ରାଜ୍ୟର ବହୁ ସମସ୍ୟା ଲୋକ ଜଣାଉଛନ୍ତି । ମୋର ସ୍ବାସ୍ଥ୍ୟ ଅବସ୍ଥା ପାଇଁ ମୁଁ ଆପଣ ମାନଙ୍କ ସହ ମିଶି ପାରୁ ନାହିଁ । ଓଡ଼ିଶାବାସୀଙ୍କ ହକ୍ ଓ ଅଧିକାରର ଲଢେଇ ଲଢି ପାରୁନାହିଁ । ତଥାପି ଯାହା କିଛି ସମସ୍ୟା ମୋର ଦୃଷ୍ଟିଗୋଚର ହେଉଛି ମୁଁ ଚିଠି ଜରିଆରେ ଓଡିଶା ସରକାରକୁ ଜଣାଉଛି । ମୁଁ ସମ୍ପୂର୍ଣ୍ଣ ଭଲ ହୋଇ ବହୁତ ଶୀଘ୍ର ପୂର୍ବ ଭଲି ଆପଣ ମାନଙ୍କ ସହ ମିଶିବି । ମୁଁ ଆପଣ ମାନଙ୍କ ପାଖକୁ କେବେ ଯାଇପାରିବି ସେହି ସମୟକୁ ବ୍ୟାକୁଳତାର ସହ ଅପେକ୍ଷା କରିଛି ବୋଲି ସେ ଲେଖିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details