ଭୁବନେଶ୍ବର: ମେ ୫ ତାରିଖରୁ ରବି ଧାନ କ୍ରୟ ପାଇଁ ରାଜ୍ୟରେ ମଣ୍ତି ବ୍ୟବସ୍ଥା ଚାଲୁ ହୋଇଥିବା ବେଳେ ଧାନ କିଣାବିକା ଆରମ୍ଭରୁ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି । ଅନ୍ୟ ଉପାୟ ନପାଇ ଖୋଲା ବଜାରରେ ଏବେ ୧ ହଜାର ଟଙ୍କାରେ ଚାଷୀ ଧାନ ବିକ୍ରି କରୁଛନ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ।
ରାଜ୍ୟ ସରକାର ଯେତେ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ଯୋଗାଇ ଦେଇଥିଲେ ପାଖାପାଖି ୧୦ ରୁ ୨୦ ଭାଗ ଚାଷୀଙ୍କ ଟୋକନ ଲ୍ୟାପ୍ସ ହୋଇ ସରିଲାଣି । ମିଲର୍ସଙ୍କ ଉପରେ ରାଜ୍ୟ ସରକାର ନିୟନ୍ତ୍ରଣ କରୁ ନ ଥିବାରୁ ମିଲର୍ସମାନେ ନିଜ ମନ ମୁତାବକ ମଣ୍ତିରୁ ଧାନ ଉଠାଉଛନ୍ତି । ପ୍ରତି କ୍ବିଣ୍ଟାଲରେ ୫ କେଜିରୁ ୬ କେଜି ଧାନ କଟନି ଛଟନି କରୁଛନ୍ତି ବୋଲି ପ୍ରଦୀପ ଗୁରୁତର ଅଭିଯୋଗ କରିଛନ୍ତି ।
ଟୋକନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତା ଦେଖାଦେଉଛି । ଡିପ ବୋରୱେଲରେ ଚାଷୀ କରୁଥିବା ଚାଷ ଅଢେଇ ଏକର ଜମିର ଧାନ ୬୪ କ୍ବିଣ୍ଟାଲ କିଣିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ୮୦ ଭାଗ ଡିପ ବୋରୱେଲ ଚାଷୀ ଟୋକନରେ ବ୍ୟାପକ ଅବ୍ୟବସ୍ଥା ହୋଇଛି । ସରକାର ଚାଷୀଙ୍କୁ ଯୋଗାଇ ଦେଇଥିବା ଟୋକନରେ ୧ କ୍ବିଣ୍ଟାଲ, ୨ କ୍ବିଣ୍ଟାଲ, ୫ କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଚିଠି ଆସିଥିବାରୁ ଚାଷୀମାନେ ହତାଶ ହୋଇ ପଡିଛନ୍ତି ।