ଭୁବନେଶ୍ବର: ଗାଁକୁ ପାନୀୟ ଜଳ ଯୋଗାଣ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ଉଭୟ ଶାସକ ଓ ବିରୋଧୀ। ଯେଉଁଭଳି ଭାବେ ଏ ଦିଗରେ କାର୍ଯ୍ୟ କରିବା ପାଇଁ ସରକାର ଘୋଷଣା କରିଥିଲେ ସେଭଳି କାମ ହେଉ ନାହିଁ ବୋଲି ଗୃହରେ ଉଦବେଗ ପ୍ରକାଶ ପାଇଛି । ବିଧାନସଭାର ଚଲିତ ଶୀତ ଅଧିବେଶନର ଷଷ୍ଠ ଦିନରେ ଗୃହରେ ପଞ୍ଚାୟତିରାଜ ଓ ପାନୀୟଜଳ ଉପରେ ଆଲୋଚନା ହୋଇଥିଲା । ଯାହାକୁ ନେଇ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଥିଲେ ଖୋଦ ଶାସକ ଦଳର ବିଧାୟକ ପ୍ରଦୀପ ମହାରଥୀ।
କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ରାଜ୍ୟରେ 47366ଟି ଗାଁ ରହିଛି। ସେଥିମଧ୍ୟରୁ 19504ଟି ଗାଁକୁ ପାନୀୟ ଜଳ ଯୋଗାଣ କରାଯାଇଥିବାବେଳେ 27,882ଗାଁକୁ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ରଖିଥିଲେ। ଯାହାକୁ ଟାର୍ଗେଟ କରିଥିଲେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ।
ଦେଶ ତଥା ରାଜ୍ୟରେ ସେ ଶ୍ରେଷ୍ଠ ମନ୍ତ୍ରୀର ପୁରସ୍କାର ପାଇଲେ। 2020 ସୁଦ୍ଧା ସମସ୍ତ ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବ ମନ୍ତ୍ରୀ କହିଥିଲେ, ହେଲେ ଉତ୍ତର ଦେଲା ବେଳକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବୁ। ସେ ତୁରନ୍ତର ସଂଜ୍ଞା କ'ଣ ବୋଲି ପ୍ରଶ୍ନ କରିଥିଲେ ମହାରଥୀ। କେବଳ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ବିଭାଗୀୟ ମନ୍ତ୍ରୀ ଖସିଯିବାକୁ ଉଦ୍ୟମ କରୁଥିବାର ସାଙ୍ଘାତିକ ଅଭିଯୋଗ ମଧ୍ୟ କରିଛନ୍ତି। ଆଉ ବଳକା ଗାଁକୁ ଦିଲ୍ଲୀ ନା ଓଡ଼ିଶା ମେକାନିଜିମ ପାଣି କିଏ ଯୋଗାଇବ ସେ ନେଇ ଜବାବ ମାଗିଛନ୍ତି।
୨୦୨୪-୨୫ ସୁଦ୍ଧା ସବୁ ଗାଁକୁ ପିଇବା ପାଣି 2020 ସୁଦ୍ଧା ସମସ୍ତ ସହରରେ ପାଇପ ଯୋଗେ ପିଇବା ପାଣି ଉପଲବ୍ଧ କରିବା ସହ 2024-2025 ସୁଦ୍ଧା ସବୁ ଗାଁକୁ ପିଇବା ପାଣି ଯୋଗାଇ ଦିଆଯିବ । ଏହି ପ୍ରକଳ୍ପ ପାଇଁ 17372 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ବିଗତ 5 ବର୍ଷରେ କେନ୍ଦ୍ର ମାତ୍ର ଏ ବାବଦକୁ 549 କୋଟି ଟଙ୍କା ଦେଇଛି। ଏଥିରେ ରାଜ୍ୟର ଅଂଶ ରହିଛି 7222 କୋଟି ଟଙ୍କା । ମୋଟ 44 ପ୍ରତିଶତ ଲୋକଙ୍କୁ ପାଣି ଯୋଗାଇ ଦିଆଯାଇଛି।
ଗତ 5ବର୍ଷରେ 2015 -16, 668 କୋଟି ରାଜ୍ୟ ଅଂଶ ଥିବା ବେଳେ କେନ୍ଦ୍ରରୁ 93 କୋଟି ମିଳିଛି, 16-17ରେ ରାଜ୍ୟ ଅଂଶ 752 କୋଟି ଥିଲା ବେଳେ କେନ୍ଦ୍ର 122 କୋଟି, 18-19ରେ 1656 କୋଟି ଥିଲା ବେଳେ 178 କୋଟି ଟଙ୍କା ମିଳିଛି। ଏଥିରେ କେନ୍ଦ୍ର ସରକାର ଟାଳୁଟଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ମନ୍ତ୍ରୀଙ୍କ ତଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧି ବିଧାୟକ ତାରା ବାହିନୀପତି । ମନ୍ତ୍ରୀଙ୍କୁ ଅଫିସର ବିଭ୍ରାନ୍ତ କରୁଥିବାବେଳେ ଗୃହରେ ମନ୍ତ୍ରୀ ଅସତ୍ୟ ତଥ୍ୟ ଦେଇଛନ୍ତି ବୋଲି କହିଛନ୍ତି ସେ। ସେପଟେ ନିଜ ଅଞ୍ଚଳର ଉଦାହରଣ ଦେଇ ପ୍ରକଳ୍ପର ବାସ୍ତବତାକୁ ଗୁମର ଖୋଲିଛନ୍ତି ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ