ଓଡିଶା

odisha

By

Published : Oct 18, 2022, 2:11 PM IST

ETV Bharat / city

Cyclone threat: ଅପରାହ୍ନ 4ଟାରେ ଜରୁରୀକାଳିନ ବୈଠକ ଡାକିଲେ ସରକାର

ସମ୍ଭାବ୍ୟ ବାତ୍ୟାର କୌଣସି ସ୍ଥିତିର ମୁକାବିଲା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ବୈଠକ ଡାକିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ । ଅଧିକ ପଢନ୍ତୁ

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି; ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି; ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ଭୁବନେଶ୍ବର: ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ । ଏନେଇ ଓଡିଶାରେ ବଢିଲା ବାତ୍ୟା ଭୟ । ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ବଢିଥିବାବେଳେ ଚିତ୍ର ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ପରବର୍ତ୍ତୀ ସମୟରେ ଆହୁରୀ ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ସମ୍ଭାବନା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଏଥିସହ ସମ୍ଭାବ୍ୟ ବାତ୍ୟାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଅପରାହ୍ନ 4 ଟାରେ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ଦାୟିତ୍ବରେ ଥିବା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ ।

ସୂଚନା ଅନୁଯାୟୀ, ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଗତକାଲି ତୁଳନାରେ ଅଧିକ ଘନୀଭୂତ ହେବାରେ ଲାଗିଛି । ଏହାର ପ୍ରଭାବରେ ୨୦ ତାରିଖ ମଧ୍ୟରେ ପୂର୍ବ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ସମ୍ଭାବ୍ୟ ବାତ୍ୟାର କୌଣସି ସ୍ଥିତିର ମୁକାବିଲା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ବୈଠକ ଡାକିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ଦାଇତ୍ବରେ ଥିବା ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ । ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ସଚିବ, ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଏବଂ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଭିଡିଓ କନ୍ପରେନ୍ସିଂ ମାଧ୍ୟମରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଭାରତୀୟ ପାଣିପାଗ ବିଭାଗଙ୍କ ତରଫରୁ ବାତ୍ୟାର ଗତିପଥ ଓ ପବନର ଗତି ବିଷୟରେ ଅଧିକ ସୂଚନା ମିଳିବା ପରେ ସରକାରଙ୍କ ପ୍ରସ୍ତୁତି ଆହୁରି ଜୋରଦାର ହେବ ।

ସମ୍ଭାବ୍ୟ ବାତ୍ୟାର ଗତିପଥ ଜଣାପଡିବା ପରେ ତଳୁଆ ଏବଂ କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଆଣିବା, ସମସ୍ତ ବହୁମୁଖ୍ୟ ବନ୍ୟାବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକୁ ପୂର୍ଣ୍ଣ ପ୍ରସ୍ତୁତ କରିବା, ଆଶ୍ରୟସ୍ଥଳ ପରିଚାଳନା ଟିମଙ୍କୁ ପୂର୍ବରୁ କାର୍ଯ୍ୟରେ ନିୟୋଜିତ କରିବା, ଶୁଖିଲା ଖାଦ୍ୟ ଏବଂ ରିଲିଫ୍ ପଦାର୍ଥର ଉପଲବ୍ଧି ବିଷୟରେ ସଜାଗ ରହିବା, ମାଇକ୍ ପ୍ରଚାର ମାଧ୍ୟମରେ ଲୋକ ମାନଙ୍କୁ ଆଗୁଆ ସୂଚନା ଦେବା, ଗର୍ଭବତୀ ମହିଳା ଏବଂ ନିଃସହାୟ ବୃଦ୍ଧ ବ୍ୟକ୍ତିମାନଙ୍କୁ ଆଗୁଆ ନିରାପଦ ସ୍ଥାନକୁ ନେବା ଆଦି ନିମନ୍ତେ ସଠିକ୍ ବ୍ୟବସ୍ଥା ନିଶ୍ଚିତ କରାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯିବ ।

ତେବେ ଆସନ୍ତା କିଛି ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ଥିବାରୁ ସହରାଞ୍ଚଳରେ ବର୍ଷାଜଳ ନିଷ୍କାସନ ନାଳ ସବୁକୁ ସଫା କରିବା ସହ ସମ୍ବେଦନଶୀଳ ଖାଲୁଆ ସ୍ଥାନମାନଙ୍କରେ ପାଣି ନିଷ୍କାସନ ପମ୍ପ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯିବ । ଏଥିସହ ଓଡ୍ରାଫ୍, ଏନ୍.ଡି.ଆର୍.ଏଫ୍. ଏବଂ ଫାୟାର ସର୍ଭିସ୍ ଟିମଙ୍କୁ ପ୍ରସ୍ତୁତ ରହିବାକୁ ମଧ୍ୟ ପରାମର୍ଶ ଦିଆଯିବ । ସ୍ବତନ୍ତ୍ର ରିଲିଫ୍ କମିଶନଙ୍କ ବାତ୍ୟା ପାଇଁ ନିର୍ଦ୍ଧାରିତ ଏସ୍.ଓ.ପି ଅନୁସାରେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ସମସ୍ତ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯିବ । ତେବେ ବୈଠକରେ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ପ୍ରମୁଖ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ବୈଠକରେ ସାମିଲ ହେବାର ସୂଚନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details