ଭୁବନେଶ୍ବର: କୁହାଯାଏ ତୁଳସୀ ଦୁଇ ପତ୍ରରୁ ବାସେ । ପ୍ରତିଭାର ପ୍ରତିଟି ପାଖୁଡା ପରିପ୍ରକାଶ ହୋଇ ଚର୍ତୁପାର୍ଶ୍ବକୁ ମହକାଏ । ସେମିତି କିଛି ଘଟିଛି ସାଲିଆ ସାହି ସ୍ଥିତ ଆଦିବାସୀ ବସ୍ତିରେ । ଦୁଇ ଭାଇ ରଞ୍ଜନ ଓ ସୁନୀଲଙ୍କ ଫୁଟବଲ ପ୍ରତିଭାକୁ ଏବେ ବେଶ ଚର୍ଚ୍ଚା । ନିଜ ଘର ପାଖ ପଡିଆରେ ଦିନେ ଖେଳୁଥିଲେ ଦୁଇ ଭାଇ ।
ପରେ କୋଚ ଜୟଦେବ ମହାପାତ୍ରଙ୍କ ନଜର ପଡିଥିଲା ତାଙ୍କ ଉପରେ । ସୁନା ଚିହ୍ନେ ବଣିଆ ପରି ଜୟଦେବ ତାଙ୍କ ପ୍ରତିଭାର ଆଭାସ ପାଇଥିଲେ । ଏହାପରେ ଉପଯୁକ୍ତ ପ୍ରଶିକ୍ଷଣ ଦେବାକୁ ପ୍ରୟାସ ଆରମ୍ଭ କଲେ । ଆଦିବାସୀ ଗାଁ ପକ୍ଷରୁ ଫୁଟବଲ ଖେଳୁଥିବା ରଞ୍ଜନ ଖାସି କପରୁ ଆଜି 15ବର୍ଷରୁ କମ ଭାରତୀୟ ଦଳ ପାଇଁ ପ୍ରତିନିଧିତ୍ବ କରୁଛନ୍ତି। ପରେ ଯାତ୍ରା ଜାରି ରହିଥିଲା । ସାଫ କପରେ ନେପାଳକୁ 7-0 ଗୋଲରେ ପରାସ୍ତ କରିଥିଲା ଭାରତ । ଏଥିରେ ଡିଫେଣ୍ଡର ରଞ୍ଜନଙ୍କ ପ୍ରଦର୍ଶନ ଦମଦାର ରହିଥିଲା । ଖାଲି ରଞ୍ଜନ ନୁହଁନ୍ତି, ଭାଇ ସୁନୀଲ ମଧ୍ୟ ପଞ୍ଜାବ ଫୁଟବଲ କ୍ଲବରେ ଖେଳୁଥିବା ବେଳେ ଆଇ ଲିଗରେ ସ୍ଥାନ ପାଇଛନ୍ତି।
ଦୁଇ ପୁଅ ପାଇଁ ବାପା ରାମଚନ୍ଦ୍ର ସୋରେନ ଗର୍ବିତ ବୋଲି କହିଛନ୍ତି । ମାତ୍ର ଝାଟିମାଟିର କୁଡିଆରେ ମୂଲ ଲାଗିଲେ ହିଁ ଘର ଚଳିବ। ସେଥିପାଇଁ ଦୁଇ ପୁଅଙ୍କ ପାଇଁ ବେଶୀ କିଛି ଚିନ୍ତା କରି ପାରିନାହାଁନ୍ତି ରାମଚ଼ନ୍ଦ୍ର । କୋଚ ଦେବଦୂତ ସାଜି ସହଯୋଗ କରିଛନ୍ତି ବୋଲି ପିଲା ଦିଟା ଏଯାଏଁ ପହଞ୍ଚିଛନ୍ତି । ଏମିତିକି ଜୋତା, ଡ୍ରେସ, ଖେଳ ସରଞ୍ଜାମ ସବୁ କୋଚଙ୍କ ପାଇଁ ସମ୍ଭବ ହେଇଛି କହିଛନ୍ତି।