ଭୁବନେଶ୍ବର: ଜୋର ଧରିଲା ଦେଶର ପଛୁଆ ବର୍ଗ ଓ ଗରିବଙ୍କ ପାଇଁ ସରକାରୀ ଚାକିରୀ ଏବଂ ଶିକ୍ଷାନୁଷ୍ଠାନରେ ଥିବା 50 ପ୍ରତିଶତ ସଂରକ୍ଷଣ ସୀମାର ପୁନଃତର୍ଜମା ପ୍ରସଙ୍ଗ । ହେଲେ ଏବେ ସଂରକ୍ଷଣ ବ୍ୟବସ୍ଥା ଏହା ଉପରୁ ଯିବା ଦରକାର କି ନାହିଁ, ତାର ଉତ୍ତର ଜାଣିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଜବାବ ତଲବ ହୋଇଛି ।
୧୯୯୨ ମସିହାରେ ସୁପ୍ରିମକୋର୍ଟର ୯ ଜଣିଆ ଖଣ୍ଡପୀଠ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ମଧ୍ୟରେ ରହିବା ନେଇ ରାୟ ଦେବା ସହ ଏକ୍ଷେତ୍ରରେ ଲକ୍ଷ୍ମଣରେଖା ଟାଣି ଦେଇଥିଲେ । କିନ୍ତୁ ବିଭିନ୍ନ ରାଜ୍ୟରେ ସଂରକ୍ଷଣ ଦାବି ଜୋର୍ ଧରିବା କାରଣରୁ ବିଶେଷ ପରିସ୍ଥିତିରେ ଏହାକୁ ବୃଦ୍ଧି କରାଯାଇ ପାରିବ କି ନାହିଁ, ତାହା ବିଚାର କରିବାର ସମୟ ଆସିଛି । ଇତିମଧ୍ୟରେ ମହାରାଷ୍ଟ୍ର ଓ ତାମିଲନାଡୁ ଭଳି କିଛି ରାଜ୍ୟ ରାଜନୈତିକ ଉଦ୍ଦେଶ୍ୟରେ ସଂରକ୍ଷଣ ପରିମାଣ ୬୦ ପ୍ରତିଶତକୁ ବୃଦ୍ଧି ପାଇଁ ପଦକ୍ଷେପ ନେଇଛନ୍ତି ।
ସଂରକ୍ଷଣକୁ ନେଇ ଦେଶରେ ଜୋର ଧରୁଛି ରାଜନୀତି। ସଂରକ୍ଷଣ ସୀମା ବୃଦ୍ଧି ନେଇ ସୁପ୍ରିମକୋର୍ଟ ରାଜ୍ୟଗୁଡିକୁ ପରାମର୍ଶ ମାଗିବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ନିଯୁକ୍ତି ଓ ଅଧ୍ୟୟନ କ୍ଷେତ୍ରରେ ସଂରକ୍ଷଣ ସୀମା 50 ପ୍ରତିଶତ ମଧ୍ୟରେ ରହିବା ଉଚିତ କିମ୍ବା ଅଧିକ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଏପଟେ ରାଜନୈତିକ ଦଳ ଗୁଡିକ ଅଧିକ ସଂରକ୍ଷଣ ସପକ୍ଷରେ ମତ ରଖିଥିଲେ ମଧ୍ୟ ସ୍ଥିତିକୁ ଦେଖି ପରାମର୍ଶ ଦେବା ଆବଶ୍ୟକ ବୋଲି କହିଛନ୍ତି ।