ଓଡିଶା

odisha

ETV Bharat / city

Number One Naveen: ବିକାଶ ନେଇ ଘେରିଲେ ବିରୋଧୀ, ଉଠାଇଲେ ପ୍ରଶ୍ନ - ଓଡିଶା ରାଜନୈତିକ ଖବର

ଓଡିଶାରେ କାହିଁକି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଏକ ଘରୋଇ ସଂସ୍ଥାର ସର୍ଭେ ରିପୋର୍ଟ କହୁଛି, 78 ପ୍ରତିଶତ ଓଡିଶାର ଲୋକ ଚାହାଁନ୍ତି ନବୀନ ପଟ୍ଟନାୟକ । ବିରୋଧୀ ପ୍ରସଙ୍ଗରେ ନବୀନଙ୍କୁ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମ ହେଲେ ଅସୁବିଧା ନାହିଁ, ରାଜ୍ୟ କେଉଁଠି ବୋଲି ଉଠାଇଛନ୍ତି ପ୍ରଶ୍ନ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 12, 2022, 9:08 PM IST

ଭୁବନେଶ୍ବର: ଲୋକପ୍ରିୟତାର ଶୀର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik ) । ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ନବୀନଙ୍କୁ ସବୁବେଳେ ଲୋକପ୍ରିୟ କରିଛି । ଜାତୀୟ ରାଜନୀତିରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନବୀନ ପଟ୍ଟନାୟକ ପୁଣି ଥରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏ କଥା ଆମେ କହୁନାହୁଁ । ଏକ ଜାତୀୟ ଗଣମାଧ୍ୟମ କରିଥିବା ସର୍ଭେ ରିପୋର୍ଟ କହୁଛି । ରିପୋର୍ଟ ଅନୁସାରେ ରାଜ୍ୟର 78 ପ୍ରତିଶତ ଲୋକ ନବୀନଙ୍କୁ ସମର୍ଥନ କରନ୍ତି । ତେବେ ନବୀନଙ୍କ ଲୋକପ୍ରିୟତା ପଛର ରାଜ କଣ ? ଜନକଲ୍ୟାଣକାରୀ ଯୋଜନା ନା ଦୁର୍ବଳ ବିରୋଧୀ ।

କାହିଁକି ନବୀନ ଲୋକପ୍ରିୟ

ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, ଏହା ପଛରେ 2ଟି କାରଣ ରହିଛି । ବିଜେପି ବିରୋଧି ଦଳ ଭାବେ ଯେପରି ଉଭା ହେବା କଥା ସେପରି ହୋଇନାହିଁ ଏବଂ କଂଗ୍ରେସ ଦୁର୍ବଳ ହୋଇଥିଲେ ବି ବ୍ରଜରାଜନଗର ଉପ ନିର୍ବାଚନ ପରେ ନିଜକୁ ସୁଧାରିବାକୁ ଚେଷ୍ଟା କରିଛି । ତଥାପି ଏକ ଶକ୍ତ ବିରୋଧୀ ଭାବେ କଂଗ୍ରେସ ଦଳ ଉଭା ହୋଇପାରିନାହିଁ । ଯାହା ନବୀନଙ୍କୁ ଲୋକପ୍ରିୟ କରୁଛି । ପୁଣି ଚେଞ୍ଜ ଅଫ ଫେସ ଆଣ୍ଡ ଚେଞ୍ଜ ଅଫ ପ୍ଲେସ୍ ନିର୍ବାଚନୀ ରଣନୀତି ନବୀନ ଲୋକପ୍ରିୟ ହେବାର ଆଉ ଏକ କାରଣ ବୋଲି କହିଛନ୍ତି ପଞ୍ଚାନନ ।

ସେପଟ ସାରା ଦେଶରେ ହର ଘର ତ୍ରିରଙ୍ଗା ଯାତ୍ରାରେ ମାତିଥିବା ବିଜେପି ଏହି ପ୍ରସଙ୍ଗକୁ ଏଡାଇ ଯିବାକୁ ଚେଷ୍ଟା କରିଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ରାଜ୍ୟରେ କିଏ ଏକ ନମ୍ବର ହେଲା ସେଥିରେ ତାଙ୍କର କିଛି ଯାଆସ ନାହିଁ । ଏବେ ସାରା ଦେଶ ତ୍ରିରଙ୍ଗାର ଧୁନରେ ଅଛି । ଅର୍ଥାତ ନବୀନଙ୍କ ଲୋକପ୍ରିୟତା ବଢିବା ପ୍ରସଙ୍ଗକୁ ଚାଲାକିର ସହିତ ଏଡାଇ ଯାଇଛି ବିଜେପି । କିନ୍ତୁ ଦଳୀୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ରହିଚନ୍ଦନ କହିଛନ୍ତି, "ରାଜ୍ୟରେ ଅର୍ଥନୈତିକ ମାପଦଣ୍ଡ, ଲୋକଙ୍କ ଆର୍ଥିକ ବ୍ୟବସ୍ଥା ଓ ବିକାଶ ପ୍ରତିଫଳିତ ହେଇ ନାହିଁ । ପ୍ରଧାନମନ୍ତ୍ରୀଙ୍କ ବିକାଶ ଦେଖାଯାଉଛି । କିନ୍ତୁ ଓଡ଼ିଶାର ବିକାଶ ପ୍ରତିଫଳିତ ହେଉନାହିଁ । ଖାଲି ସର୍ବେକ୍ଷଣରେ ୧ ନମ୍ୱର ମୁଖ୍ୟମନ୍ତ୍ରୀ ନହୁଅନ୍ତୁ । ଓଡ଼ିଶାରେ ବିକାଶ ଦେଖାଯିବା ଆବଶ୍ୟକ । ଉତ୍ତରପ୍ରଦେଶରେ ଦାରିଦ୍ର୍ୟ, ଭିତ୍ତିଭୂମି, ଶିଳ୍ପାୟନ ଅଭିବୃଦ୍ଧି ହୋଇଛି। ବିକାଶର ହାର ଉତ୍ତରପ୍ରଦେଶ ଆଗରେ ରହିଛି। ଆଖିକୁ ବିକାଶ ଦେଖାଯିବା ଆବଶ୍ୟକ ।"

ଅନ୍ୟପଟେ ବିଜେଡି ତାର ଚିରାଚରିତ ଢଙ୍ଗରେ ନବୀନଙ୍କୁ ପ୍ରଶଂସା କରିଛି । ଆଉ ଦଳୀୟ ସାଂସଦ ଅମର ପଟ୍ଟନାୟକ କହିଛନ୍ତି, "ଲୋକାଭିମୁଖୀ, ସ୍ବଚ୍ଛ ଶାସନ ଜନକଲ୍ୟାଣକାରୀ ଯୋଜନା ଲୋକପ୍ରିୟତା ପଛର କାରଣ । ଏହାସହ ନବୀନ ଜାତୀୟସ୍ତରରେ ନେଇଥିବା ପଦକ୍ଷେପ ମଧ୍ୟ ଅନ୍ୟତମ କାରଣ । ଯେଉଁଭଳି ଭାବେ ଜାତୀୟ ହକିକୁ ପ୍ରତ୍ସୋହନ ଦେଲେ ଓ ପରବର୍ତ୍ତୀ ସମୟରେ ତାହା ପ୍ରତିଫଳନ ହେଲା । ଏଥିରୁ ନବୀନଙ୍କ ଲୋକପ୍ରିୟତା ବୃଦ୍ଧି ହୋଇଛି ।"

ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟର ସ୍ବାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ଆଇନ ଶୃଙ୍ଖଳାକୁ ନେଇ ବିରୋଧୀ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି । ଏପରି ସ୍ଥିତିରେ ଏହି ସର୍ଭେ ପ୍ରାୟୋଜିତ ନୁହେଁ ତ ? କାରଣ 2003 ମସିହାରେ ଯେତେବେଳେ ଏହି ସର୍ଭେ ପ୍ରଥମେ ଆରମ୍ଭ ହୋଇଥିଲା ସେତେବେଳେ ନମ୍ବର 1 ଥିଲେ ନବୀନ । କିନ୍ତୁ ପରବର୍ତ୍ତି ସମୟରେ ଦ୍ବିତୀଯ ସ୍ଥାନକୁ ମଧ୍ୟ ଖସିଥିଲେ । ଏବେ ପୁଣି ଥରେ ନମ୍ବର 1 । ରାଜ୍ୟରେ ଦୁର୍ବଳ ବିରୋଧୀ ନବୀନଙ୍କ ଲୋକପ୍ରିୟ କରିବାର ରାସ୍ତା ତିଆରି କରୁନାହାନ୍ତି ତ ।

ଭୁବନେଶ୍ୱରରୁ ଲାଲ ମୋହନ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details