ଓଡିଶା

odisha

By

Published : Oct 7, 2021, 10:23 PM IST

ETV Bharat / city

ସ୍ବାସ୍ଥ୍ୟକୁ ନେଇ ସରଗରମ ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଟଣାଓଟରା

ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଯୋଜନାକୁ ନେଇ ଟଣାଓଟରା । କାହାର ଯୋଜନା କେତେ ଭଲ, ତାକୁ ନେଇ ଚାଲିଥିଲା ଆରୋପ ପ୍ରତ୍ୟାରୋପ । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟକୁ ନେଇ ସରଗରମ ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଟଣାଓଟରା
ସ୍ବାସ୍ଥ୍ୟକୁ ନେଇ ସରଗରମ ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଟଣାଓଟରା

ପୁରୀ: ସ୍ବାସ୍ଥ୍ୟକୁ ନେଇ ସରଗରମ ରାଜ୍ୟ ରାଜନୀତି । ସରକାରୀ କାର୍ଯ୍ୟକ୍ରମରେ ଶାସକ ବିରୋଧୀ କଥାକଟାକଟି । ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଯୋଜନାକୁ ନେଇ ଟଣାଓଟରା । ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଞ୍ଚଳର ସମସ୍ୟା କଥା ଜଣାଇଲେ ଘେରି ଯାଉଛନ୍ତି ଶାସକ ଦଳର ନେତାମନ୍ତ୍ରୀ । ବ୍ରହ୍ମଗିରିରେ ପୁରୀବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ସ୍ମାର୍ଟ ହେଲ୍‌ଥ କାର୍ଟ ବଣ୍ଟନ ସମୟରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ମଞ୍ଚ ଉପରେ ହିଁ ଯୋଜନାକୁ ନେଇ ଟଣାଓଟରା ହୋଇଯାଇଥିଲେ ବିରୋଧୀ ବିଧାୟକ ଓ ଶାସକ ଦଳର ନେତାମନ୍ତ୍ରୀ । କାହାର ଯୋଜନା କେତେ ଭଲ, ତାକୁ ନେଇ ଚାଲିଥିଲା ଆରୋପ ପ୍ରତ୍ୟାରୋପ । ବିରୋଧୀ ଦଳର ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ନିଜ ଅଞ୍ଚଳର ସମସ୍ୟା ରଖିଥିବାବେଳେ ତାଙ୍କୁ ଘେରିଯାଇ ପ୍ରତିଶ୍ରୁତିର ପାହାଡ ଛିଡା ହୋଇଥିବା ଦେଖାଇଥିଲେ ଶାସକ ଦଳର ସାଂସଦ ଓ ମନ୍ତ୍ରୀ ।

ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ଆୟୁଷମାନ ଯୋଜନାକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଇଲେ ଓଡିଶାର ଗରିବ ଜନସାଧାରଣ ଏଥିରୁ ଅନେକ ସୁବିଧା ପାଇପାରନ୍ତେ ବୋଲି ମତ ରଖିଥିଲେ ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଏହାସହିତ ଆୟୁଷମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ବ୍ରହ୍ମଗିରି ବିଧାୟକ ।

ସେପଟେ ବ୍ରହ୍ମଗିରି ବିଧାୟକ ତଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଏନେଇ କାଉଣ୍ଟର ଆଟାକ କରିଛନ୍ତି ଶାସକ ଦଳର ମନ୍ତ୍ରୀ ଓ ସାଂସଦ । ରାଜ୍ୟ ସରକାରଙ୍କ ଯୋଜନା ଭାରତ ସରକାରଙ୍କ ଯୋଜନାଠାରୁ ଅଧିକ ଭଲ ବୋଲି ଯୁକ୍ତି ରଖିଥିଲେ ଶାସକ ଦଳର ନେତା । ୨୧ ଦଶନ୍ଦିରେ ଆଜିର ସତ୍ୟତା ହେଉଛି ଯେ ନବୀନ ଓ ଓଡିଶା ଯାହା ଆଜି ପରିକଳ୍ପନା କରନ୍ତି ତାହା ଭାରତ କାଲି କରିବାକୁ ଯାଏ ବୋଲି କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଯାହା ନବୀନ କରୁଛନ୍ତି ଅନ୍ୟ ରାଜ୍ୟ ତାହା ଅନୁସରଣ କରୁଛନ୍ତି ବୋଲି ପିନାକୀ ଯୁକ୍ତି ବାଢିଛନ୍ତି । କେବଳ ସେତିକି ନୁହେଁ, ଏହା ଓଡିଶାରେ ଇନସୁରାନ୍ସ ସ୍କିମ ନୁହେଁ, ଆସୁରାନ୍ସ ସ୍କିମ ବୋଲି ସେ କହିଛନ୍ତି ।

କେବଳ ସ୍ବସ୍ଥ୍ୟ ନୁହେଁ, ବ୍ରହ୍ମଗିରିର କିଛି ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବିଜେପି ବିଧାୟକ ଲଳିତେନ୍ଦୁ । ଏହା ଉପରେ ମଧ୍ୟ ରାଜନୈତିକ ପ୍ରତିଆକ୍ରମଣ କରିଥିଲେ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ । ତଳିତେନ୍ଦୁ କହିଥିଲେ, ବ୍ରହ୍ମଗିରି ବାତ୍ୟାପ୍ରବଣ ଅଞ୍ଚଳ । ୨୦୧୪ରେ ଭୂତଳ ଭିତ୍ତପ୍ରସ୍ତର ଶୁଭାରମ୍ଭ ହୋଇଥିଲା, ଯାହା ଏଯାଏଁ କାର୍ଯ୍ୟକାରୀ ହୋଇପାରିନି । ସେହିପରି ମେଗା ପାନୀୟ ଜଳ ପ୍ରକଳ୍ପ ପୁରୀରେ ଆରମ୍ଭ ହୋଇଛି । ହେଲେ ଭଣ୍ଡାରୀକୁଦାରେ ୫୯ ଗ୍ରାମରେ ବିଶୁଦ୍ଧ ପାଣି ପହଁଞ୍ଚାଇବା ଦୀର୍ଘ ୮ ବର୍ଷ ହେବ ପୁରଣ ହୋଇନି । ୧୯୯୭ରେ ବଡ ଭାଇ ତଥା ଦିବଙ୍ଗତ କଂଗ୍ରେସ ନେତା ଲୁଲୁ ମହାପାତ୍ର ଗୋବର୍ଦ୍ଧନପୁର ବ୍ୟାରେଜ ନିର୍ମାଣ କରିଥିଲେ । ଆଜିଯାଏଁ ବ୍ରହ୍ମଗିରି ଚାଷୀ ଏଥିରୁ ଉପକୃତ ହେଉଛନ୍ତି । ମାତ୍ର ନବୀକରଣ ହେଉନଥିବାରୁ ଏହା ବଗ୍ନାବ ଅବସ୍ଥାକୁ ଚାଲିଗଲାଣି । ଶାଖା କେନାଲରେ ଦଳ ମୟ ହୋଇଗଲାଣି । ତେବେ ଏହାର ପୁରୁଦ୍ଧାର ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଲଳିତେନ୍ଦୁ ।

ଗତ ଫନି ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ରାଜ୍ୟ ସରକାର ସହାୟତା ଘୋଷଣା କରିଥିଲେ । ହେଲେ ଅନେକ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି । ଏହି ସହାୟତା ଅର୍ଥ ପ୍ରଦାନ ପାଇଁ ଆଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଥିଲେ ବ୍ରହ୍ମଗିରି ବିଧାୟକ ।

ବ୍ରହ୍ମଗିରି ବିଧାୟକଙ୍କ ପ୍ରଶ୍ନ ଉପରେ ମନ୍ତ୍ରୀ ସମୀର ଦାସ ପରଦା ଘୋଡାଇ ଓଲଟା କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ଫନିରେ ସର୍ବାଧିକ କ୍ଷତି ହୋଇଥିଲା । କେନ୍ଦ୍ରର ଯାହା ସାହାଯ୍ୟ ସହଯୋଗ ଅଛି ସେ ବିଷୟରେ ବିଜେପି ବିଧାୟକଙ୍କ ପ୍ରୟାସ ରହିବା ଦରକାର ବୋଲି କହିଛନ୍ତି ସମୀର ଦାସ ।

ନିକଟରେ ମଧ୍ୟ ସ୍ବାସ୍ଥ୍ୟ ଯୋଜନାକୁ ନେଇ ବିରୋଧୀ ଓ ଶାସକ ଦଳର ନେତାଙ୍କ ମଧ୍ୟରେ ଟ୍ବିଟୱାର ଦେଖିବାକୁ ମିଳିଥିଲା । ବିଜେଡି ଶାସିତ ଓଡିଶା ସରକାରଙ୍କ ଯୋଜନା ହେଉଛି Biju Swasthya Kalyan Yojana (BSKY) । ବିଜେପି ନେତୃତ୍ବାଧିନ କେନ୍ଦ୍ର ସରକାରଙ୍କ ଯୋଜନା ହେଉଛି ‘ଆୟୁଷ୍ମାନ ଭାରତ’ । ତେବେ କେଉଁ ଯୋଜନାଟି ଓଡିଶାବାସୀଙ୍କ ଲାଗି ଲାଭଦାୟକ ଓ ଜୁରୁରୀ ? ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନା ଆୟୁଷ୍ମାନ ଭାରତ ? ଏହାକୁ ନେଇ ପୂର୍ବରୁ ଅନେକ ଥର ବିଜେପି ଓ ବିଜେଡି ରାଜ୍ୟରେ ମୁହାଁମୁହିଁ ହୋଇଛନ୍ତି । ଉଭୟ ଦଳ ନିଜ ନିଜ ସରକାରଙ୍କ ଯୋଜନାକୁ ଠିକ ଓ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଉଦ୍ଦିଷ୍ଟ ବୋଲି ଯୁକ୍ତି ବାଢିଆସିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଅନେକ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିସାରିଛନ୍ତି । ଟ୍ବିଟ କରି ଧର୍ମେନ୍ଦ୍ର କହିଥିଲେ ଓଡିଶାର ଲୋକମାନେ ବିଶେଷ ଭାବରେ ପ୍ରବାସୀ ଓଡିଆ ମାନେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟରେ ଆୟୁଷ୍ମାନ ଭାରତକୁ ତୁରନ୍ତ ଲାଗୁ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ନିବେଦନ କରୁଛି ବୋଲି ଧର୍ମେନ୍ଦ୍ର ଲେଖିଥିଲେ । ଏହାସହ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେଲେ ରାଜ୍ୟର ଗରିବ ଲୋକଙ୍କ ସମେତ ଗୁଜୁରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କାମ କରୁଥିବା ପ୍ରବାସୀ ଓଡିଆ ମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ ବୋଲି ଧର୍ମେନ୍ଦ୍ର କହିଥିଲେ । ତେଣୁ ଓଡିଶା ଲୋକଙ୍କ ଦାୟିତ୍ବ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ସ୍ବାସ୍ଥ୍ୟ ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ଅନୁରୋଧ କରିଥିଲେ ।

ଏହି ପ୍ରସଙ୍ଗକୁ ନେଇ ଧର୍ମେନ୍ଦ୍ରଙ୍କୁ କଡା ଜବାବ ଦେଇଥିଲେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଟ୍ବିଟ ଯୋଗେ କହିଛନ୍ତି ଭାଇ ଧର୍ମେନ୍ଦ୍ର ପ୍ରଧାନ ଆୟୁଷ୍ମାନ ଭାରତ ନେବେ କି? ଆୟୁଷ୍ମାନ ଭାରତର ହିତାଧିକାରୀ ସଂଖ୍ୟା ୬୦ ଲକ୍ଷରେ ସୀମିତ । ହେଲେ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ’ ଯୋଜନା (BSKY)ର ହିତାଧିକାରୀ ସଂଖ୍ୟା 96 ଲକ୍ଷ ପରିବାର । ଯାହା ପ୍ରାୟ ଶତ ପ୍ରତିଶତ । ଆୟୁଷ୍ମାନ ଭାରତର କଭରେଜ ସରକାରୀ ହସ୍ପିଟାଲ ସମେତ ଘରୋଇ ହସ୍ପିଟାଲରେ ମାତ୍ର ୫ ଲକ୍ଷ । ଅପରପକ୍ଷେ ବିଏସକେୱାଇ(BSKY) ଯୋଜନାରେ ସରକାରୀ ହସ୍ପିଟାଲରେ କୌଣସି ସୀମା ନାହିଁ । ଆୟୁଷ୍ମାନ ଭାରତ ଯୋଜନାରେ ମୁଖ୍ୟତଃ ମହିଳା ମାନଙ୍କ ପାଇଁ ଶୂନ୍ୟ ସୁବିଧା ରହିଛି । ତଥା କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ । ହେଲେ BSKYରେ ସ୍ବତନ୍ତ୍ର ଭାବେ ୧୦ ଲକ୍ଷ ପର୍ଯ୍ୟନ୍ତ ବ୍ୟବସ୍ଥା ରହିଛି । ଆୟୁଷ୍ମାନ ଭାରତ ହେଉଛି ଏକ ଇନ୍ସୁରାନ୍ସ କିନ୍ତୁ BSKY ହେଉଛି ଏସୁରାନ୍ସ । ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ସେବାର ଭରସା ବୋଲି କହିଥିଲେ ପ୍ରଣବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details