ଭୁବନେଶ୍ବର: ରେଳ ପ୍ରକଳ୍ପକୁ ନେଇ ତେଜୁଛି ଅସନ୍ତୋଷ । ରେଳ ବଜେଟ ଭାଗ ବଣ୍ଟା ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଜାରି ରହିଛି । କେନ୍ଦ୍ର ସରକାର ଓଡିଶାରୁ ରେଲଓ୍ବେରୁ ଅଧିକ ରାଜସ୍ବ ପାଉଥିବାବେଳେ ଅର୍ଥ କମ ଦେଉଛନ୍ତି ବୋଲି ସିଧା ସଳଖ ଅଭିଯୋଗ କରିଛି ବିଜେଡି । ଅନ୍ୟ ପଟେ ରେଳ ପ୍ରୋଜେକ୍ଟ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଅନେକ ସମସ୍ୟା ଘେରରେ ପଡି ରହିଛି ବୋଲି ଅଭିଯୋଗ କରିଛି ବିଜେପି । ଏହାସହ ଅତି ଶୀଘ୍ର ଅଟକି ରହିଥିବା ରେଲୱେ ପ୍ରୋଜେକ୍ଟର କାମ ଆରମ୍ଭ କରିବା ଦାବି କରିଛି ବିଜେପି ।
ମଙ୍ଗଳବାର ଏକ ପ୍ରେସ ମିଟ୍ରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ରାଜ୍ୟ ସରକାରଙ୍କୁ ରେଳୱେ ବଜେଟ ଓ ରେଲୱେ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ କଡା ସମାଲୋଚନା କରିଛନ୍ତି । ରାଜ୍ୟ ସରକାର ସତ୍ୟ ଓ ତଥ୍ୟ ଆଧାରରେ ଆଲୋଚନା କରନ୍ତୁ ବୋଲି ସେ ଆହ୍ବାନ କରିଛନ୍ତି । ଏହାସହ ସେ ଓଡିଶାକୁ ରେଳ ବଜେଟରେ କେତେ ଅନୁଦାନ ମିଳିଥିଲା ତାର ଏକ ହିସାବ ଦେଇଛନ୍ତି । 10 ବର୍ଷରେ ୟୁପିଏ ସରକାର ଓଡିଶାକୁ 4232 କୋଟି ଟଙ୍କା ଦେଇଥିଲେ । ଏନ୍ଡ଼ିଏ ସରକାର 29 ହଜାର 112 କୋଟି ଦେଇଛନ୍ତି ବୋଲି ସେ କହିଛନ୍ତି ।