ଭୁବନେଶ୍ବର: ଆଜି ସମଗ୍ର ରାଜ୍ୟରେ ପାଳନ ହେଉଛି ରଙ୍ଗର ପର୍ବ ହୋଲି । ନାଲି, ନେଳି, ହଳଦୀ ଏବଂ ସବୁଜ ଭଳି ବିଭିନ୍ନ ରଙ୍ଗରେ ରଙ୍ଗ ବିରଙ୍ଗିତ ହୋଇଛନ୍ତି ସମସ୍ତେ । କଳି ଝଗଡା ଭେଦଭାବ ସବୁ ଭୁଲି ହୋଲି ପାଳନରେ ମଜିଛନ୍ତି ରାଜ୍ୟବାସୀ । ତେବେ ଶୃଙ୍ଖଳିତ ହୋଲି ପାଳନ ପାଇଁ ରାଜଧାନୀ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ସହରର ବିଭିନ୍ନ ଛକ ଓ ଟ୍ରାଫିକ ପୋଷ୍ଟରେ ବ୍ଯାପକ ପୋଲିସ ମୁତୟନ ସହ ବିଶୃଙ୍ଖଳାକାରୀଙ୍କ ଉପରେ ନଜର ରଖିଛି କମିସନରେଟ ଅଫ ପୋଲିସ । ଟ୍ରିପଲ ରାଇଡ ବା ଗୋଟିଏ ବାଇକରେ ତିନିଜଣ ଯିବା ଆସିବା କରୁଥିବା ତଥା ମଦ୍ଯପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ରହିଛି ବିଶେଷ ନଜର । ସେମାନଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ନେବା ସହ ଫାଇନ ଆଦାୟ କରାଯାଉଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ନିୟୋଜିତ ଅଛନ୍ତି ଟ୍ରାଫିକ କର୍ମଚାରୀ।