ରାଞ୍ଚି: ପୋଲିସକୁ ଦେଇ ଚାଲିଥିଲେ ଚକମା । ସାରା ଦେଶରେ 400ରୁ ଅଧିକ ଚୋରି । ବିଭିନ୍ନ ରାଜ୍ୟରେ ଲମ୍ବିଥିଲା ଚେର । ଆଉ ଶେଷରେ ଏହି ଲୁଟେରା ଗ୍ୟାଙ୍ଗ୍ର ହେଲା ପର୍ଦ୍ଦାଫାସ ।
400ରୁ ଊର୍ଦ୍ଧ୍ବ ଚୋରି ସହ ଡିଜିଙ୍କ ଘରୁ ଲୁଟ, ସୁନ୍ଦରଗଡର ଗ୍ୟାଙ୍ଗ୍କୁ ଧରିଲା ରାଞ୍ଚି ପୋଲିସ ଦେଶର ବିଭିନ୍ନ ସ୍ଥାନରେ 400ରୁ ଅଧିକ ଚୋରି କରିଥିବା ଗ୍ୟାଙ୍ଗ୍କୁ ଧରିଛି ପଡୋଶୀ ଝାଡଖଣ୍ଡ ରାଜଧାନୀ ରାଞ୍ଚିର ପୋଲିସ । ଚୋର ଗ୍ୟାଙ୍ଗ୍ର 5 ଜଣଙ୍କୁ ଗିରଫ କରିଛି ରାଞ୍ଚି ପୋଲିସ । ଗ୍ୟାଙ୍ଗର ମୁଖ୍ୟ ସନ୍ତୋଷ ରାଠୋରକୁ ମଧ୍ୟ ପୋଲିସ ଗିରଫ କରିଛି । ସନ୍ତୋଷ ରାଠୋର ଗତ 12 ବର୍ଷ ଧରି ଡକାୟତି କରିଆସୁଥିଲା। ଗିରଫ ଅପରାଧୀଙ୍କ ପାଖରୁ ପୋଲିସ 4 ଲକ୍ଷ ଟଙ୍କା ସମେତ ସୁନା ଗହଣା ଓ ଦାମି ଅଳଙ୍କାର ଜବତ କରିଛି ।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସାନ୍ତୋଷ କୁମାର ରାଠୋର, ଛୋଟୁ ବର୍ମା, ଶିବ କୁମାର, ଅର୍ଜୁନ ଚନ୍ଦ୍ରପାଲ ଏବଂ ପ୍ରଦୀପ କୁମାର ସୋନି ଅଛନ୍ତି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ହେଉଛନ୍ତି ଓଡିଶା ସୁନ୍ଦରଗଡର ବାସିନ୍ଦା। ଅଭିଯୁକ୍ତ ସନ୍ତୋଷ ଗ୍ୟାଙ୍ଗର କିଙ୍ଗପିନ୍। ସନ୍ତୋଷ ରାଞ୍ଚି ସମେତ ସମଗ୍ର ଦେଶରେ ଚୋରି ଘଟଣା ଘଟାଇଛି । ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ଚୋରି ସାମଗ୍ରୀ ଲୁଚାଇବାର କାର୍ଯ୍ୟ କରନ୍ତି | ପଚରାଉଚରା ବେଳେ ଗିରଫ ହୋଇଥିବା ଅଭିଯୁକ୍ତ ପୋଲିସକୁ ଏହା ଜଣାଇଛନ୍ତି।
ଏହି ମାମଲା ସମ୍ପର୍କରେ ସୂଚନା ଦେଇ ଏସଏସପି ସୁରେନ୍ଦ୍ର କୁମାର କହିଛନ୍ତି ଯେ ମେ 11ରେ ଅରଗୋଡା ପୋଲିସ ଷ୍ଟେସନ ଅଞ୍ଚଳରେ ତାଲା ପଡିଥିବା ଘରର ତାଲା ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାର ଅପରାଧୀଙ୍କୁ ଧରିବା ପାଇଁ ହଟିଆ ଏଏସପି ଭିନିତ କୁମାରଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା।
ପୋଲିସ ଟିମ ସିସିଟିଭି ଫୁଟେଜରେ ଚୋରଙ୍କୁ ଚିହ୍ନଟ କରିଥିଲା। ଶୁକ୍ରବାର ପୋଲିସ ଟିମ ଅଭିଯୁକ୍ତଙ୍କୁ ବିଭିନ୍ନ ଅଞ୍ଚଳରୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ନିକଟରୁ ସୁନା ଅଳଙ୍କାର, 3.98 ଲକ୍ଷ ଟଙ୍କା, ତିନୋଟି ଲାପଟପ, ଟ୍ୟାବ, ବାଇକ ଏବଂ ଏଲଇଡି ଟିଭି ଜବତ କରାଯାଇଛି। ପଚରାଉଚରା ବେଳେ ଅଭିଯୁକ୍ତମାନେ ପୋଲିସ ନିକଟରେ ନିଜର ଅପରାଧ ସ୍ବୀକାର କରିଛନ୍ତି। ରାଞ୍ଚିରେ କୋଟି କୋଟି ଟଙ୍କାର ସାମଗ୍ରୀ ଚୋରି କରିଥିବା ମାନିଛି ଗ୍ୟାଙ୍ଗ୍ର କିଙ୍ଗପିନ ସନ୍ତୋଷ ।
ଅକ୍ଟୋବର 2019ରେ ଅରଗୋଡା ପୋଲିସ ଷ୍ଟେସନ ପରିସରରେ ଜଣେ ଡିଜି ପାହି ଅଧିକାରୀଙ୍କ ଘରୁ ଚୋରି ହୋଇଥିବା ଏସଏସପି କହିଛନ୍ତି । ଚୋରମାନେ ନଗଦ ସମେତ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି କରିଥିଲେ। ଏହାର ଏଫଆଇଆର ମଧ୍ୟ ଅଗରୋଡା ପୋଲିସ ଷ୍ଟେସନରେ ଦାଖଲ କରାଯାଇଥିଲା । ଦୀର୍ଘ ଦିନ ଧରି ପୋଲିସ ଚୋରମାନଙ୍କ ସୁରାକ ପାଉନଥିଲା । ଯେତେବେଳେ ଅଭିଯୁକ୍ତ ସନ୍ତୋଷକୁ ପଚରାଉଚରା କରାଯାଇଥିଲା, ସେତେବେଳେ ସେ ଡିଜି ପାହ୍ୟା ଅଧିକାରୀଙ୍କ ଘରୁ ଚୋରି କରିଥିବା ସ୍ବୀକାର କରିଥିଲେ।