ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ପ୍ରପୀଡ଼ିତ ଅଞ୍ଚଳର ସ୍ଥିତି ସମୀକ୍ଷା ବେଳେ ଦୁଇଟି ରାଜ୍ୟର ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିବା ସହ ବାତ୍ୟା ଅଞ୍ଚଳ ସଂପର୍କରେ ଅବଗତ କରାଇଥିଲେ । ଅନ୍ୟପଟେ ପଶ୍ଚିମବଙ୍ଗ ଗସ୍ତ ବେଳେ ଦେଖା ଦେଇନଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ସାମୁଦ୍ରିକ ବାତ୍ୟା ୟସ ପ୍ରଭାବିତ ଦୁଇଟି ରାଜ୍ୟ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସିଥିଲେ ପିଏମ ମୋଦି । ଏହି ଗସ୍ତରେ ଦୁଇଟି ଦୃଶ୍ୟ ସାମନାକୁ ଆସିଛି ଗୋଟିଏ ପଟେ ନବୀନ ପଟ୍ଟନାୟକଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ବୈଠକ କରିଥିବାବେଳେ ଅନ୍ୟପଟେ ମମତା ବାନାର୍ଜୀ କେନ୍ଦ୍ର ସହିତ ଅହିନକୂଳ ସମ୍ପର୍କ ଭଳି ବୈଠକକୁ ଜାଣିଶୁଣି ଅବହେଳା କରି ଯୋଗ ଦେଇନାହାଁନ୍ତି । ଯାହା ଜାତୀୟ ସ୍ତରର ରାଜନୀତିରେ ଚହଳ ସୃଷ୍ଟି କରିଛି । ନବୀନ ପଟ୍ଟନାୟକଙ୍କ କେନ୍ଦ୍ର ଓ ରାଜ୍ୟ ସମ୍ପର୍କକୁ ନେଇ ଯେଉଁ ଉଦାହରଣ ସୃ୍ଷ୍ଟି କରିଛନ୍ତି ତାହାକୁ ନେଇ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସଂଘୀୟ ବ୍ୟବସ୍ଥା ଭିତରେ ରାଜ୍ୟ ଓ କେନ୍ଦ୍ର ଭିତରେ ନବୀନ ପଟ୍ଟନାୟକ ସୁସମ୍ପର୍କ ସ୍ଥାପନ କରିଥିବା ବିଜେଡି କହିଛି ।