ଓଡିଶା

odisha

ETV Bharat / city

ପରଲୋକରେ ପାଟରାଣୀ ବୀଣାପାଣି ମହାନ୍ତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଓଡିଆ କଥା ସାହିତ୍ୟର 'ପାଟଦେଈ' ଯଶସ୍ବୀ ସାରସ୍ବତ ସାଧକ ବିଶିଷ୍ଟ କଥାଶିଳ୍ପୀ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

By

Published : Apr 25, 2022, 6:46 AM IST

ଭୁବନେଶ୍ବର: ଓଡିଆ କଥା ସାହିତ୍ୟର 'ପାଟଦେଈ' ଯଶସ୍ବୀ ସାରସ୍ବତ ସାଧକ ବିଶିଷ୍ଟ କଥାଶିଳ୍ପୀ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କର ଦେହାନ୍ତ ହୋଇଛି । ଗତକାଲି (ରବିବାର) 85 ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଟ୍ବିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଖ୍ୟାତନାମା ଲେଖିକା ବୀଣାପାଣି ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ଓଡ଼ିଆ ସାହିତ୍ୟ ବିଶେଷ ଭାବରେ ଗଳ୍ପ ଓ ଉପନ୍ୟାସ ରଚନା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ଅନ୍ୟ ଭାଷାରେ ଅନୁବାଦିତ ତାଙ୍କର ସୃଷ୍ଟି ବେଶ୍ ଲୋକପ୍ରିୟତା ହାସଲ କରିଛି । ତାଙ୍କର ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି, ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏହା ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ କାଳଜୟୀ ସୃଜନସୃଷ୍ଟି ପାଇଁ ପାଠକଙ୍କ ହୃଦୟରେ ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ପାଟଦେଈଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି । ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ଖବରରେ ମୁଁ ଦୁଃଖିତ । ଓଡ଼ିଆ ସାହିତ୍ୟକୁ ସେ ବହୁ ଭାବରେ ସମୃଦ୍ଧ କରିଛନ୍ତି ଏବଂ ତାଙ୍କର ସୃଷ୍ଟି ମାଧ୍ୟମରେ ସେ ଚିର ସ୍ମରଣୀୟ ରହିବେ ବୋଲି କହିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ।

ଏହା ବି ପଢନ୍ତୁ...ଚିର ନିଦ୍ରାରେ ଓଡିଆ ସାହିତ୍ୟ ଜଗତର ପାଟଦେଈ ବୀଣାପାଣି ମହାନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି । ଟ୍ବିଟ କରି ଧର୍ମେନ୍ଦ୍ର କହିଛନ୍ତି ଓଡ଼ିଶାର ପ୍ରଖ୍ୟାତ କଥାଶିଳ୍ପୀ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ନିଜର ଉତ୍କୃଷ୍ଟ ଗଳ୍ପ ଓ ଉପନ୍ୟାସ ପାଇଁ ସେ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ି ଜଗନ୍ନାଥ ଦାସ, ସାହିତ୍ୟ ଏକାଡ଼େମୀ ଏବଂ ସାରଳା ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କର ଅନେକ କ୍ଷୁଦ୍ରଗଳ୍ପ ଇଂରାଜୀ, ହିନ୍ଦୀ ଭାଷା ସମେତ ଅନେକ ଆଞ୍ଚଳିକ ଭାଷାରେ ଅନୁବାଦିତ ହୋଇ ପାଠକଙ୍କ ଦ୍ବାରା ଆଦୃତ ହୋଇପାରିଛି । ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଉଚ୍ଚକୋଟିର ସାହିତ୍ୟିକାଙ୍କୁ ହରାଇଲା । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର ।

ବୀଣାପାଣିଙ୍କ ବିୟୋଗ ଓଡ଼ିଆ ସାରସ୍ବତ ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି । 50ରୁ ଅଧିକ ସଂକଳନର ସ୍ରଷ୍ଟା ଥିଲେ ବୀଣାପାଣି ମହାନ୍ତି । ଆଜି ସତୀଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details