ଓଡିଶା

odisha

ETV Bharat / city

‘ପୁରସ୍କାର ଘୋଷଣା ପରେ ପିଏମ ଆବାସ ନିର୍ମାଣରେ ଉତ୍ସାହ ବଢିଛି’ - ବ୍ଲକ କର୍ମଚାରୀ

ରାଜ୍ୟରେ ପିଏମ ଆବାସ ଯୋଜନାରେ ଘର ବଣ୍ଟନ ଓ ନିର୍ମାଣରେ ଉଲ୍ଲେଖନୀୟ ସଫଳତା । ବ୍ଲକ ପାଇଁ ପୁରସ୍କାର ଘୋଷଣା ପରେ ଘର ବଣ୍ଟନ ଓ ନିର୍ମାଣରେ ଉତ୍ସାହ ବଢିଛି ।

ଫାଇଲ ଫଟୋ

By

Published : Oct 19, 2019, 11:45 PM IST

ଭୁବନେଶ୍ବର: ଗ୍ରାମାଞ୍ଚଳରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ)ର ଘର ତିଆରି କିସ୍ତି ଅର୍ଥ ଏବଂ ଏହି ଘର ପାଇଁ ମନରେଗା ମଜୁରୀ ଆକାରରେ ହିତାଧିକାରୀଙ୍କୁ ଶତ ପ୍ରତିଶତ ଅର୍ଥ ପ୍ରଦାନ କରୁଥିବା ବ୍ଲକ ଗୁଡିକୁ ରାଜ୍ୟ ସରକାର ପୁରସ୍କାର ଦେବାଲାଗି ନେଇଥିବା ପଦକ୍ଷେପରୁ ସଫଳତା ମିଳିଛି । ଗତ ମାସ ୨୬ ତାରିଖ ସୁଦ୍ଧା ଧାର୍ଯ୍ୟ ସମୟରେ ପ୍ରଥମ କିସ୍ତିର ଶତ ପ୍ରତିଶତ ଅର୍ଥ ପ୍ରଦାନ କରି ୬୦ଟି ବ୍ଲକ ପୁରସ୍କାର ଆକାରରେ ୩୮ଲକ୍ଷ ଟଙ୍କା ପାଇଛନ୍ତି ।

ଏହି ସମୟରେ ଏକ ଲକ୍ଷ ୬ ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଥମ କିସ୍ତିର ସମସ୍ତ ଅର୍ଥ ମିଳିପାରିଛି । ଆସନ୍ତା ନଭେମ୍ବର ୧୫ ତାରିଖ ମଧ୍ୟରେ ଦ୍ବିତୀୟ କିସ୍ତିର ସମସ୍ତ ଅର୍ଥ ପ୍ରଦାନ କରିଥିବା ବ୍ଲକ ଗୁଡିକୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ହିତାଧିକାରୀମାନେ ଯେଭଳି ଧାର୍ଯ୍ୟ ସମୟରେ ସେମାନଙ୍କ ଅର୍ଥ ପାଇବେ ରାଜ୍ୟ ସରକାର ତାହା ଉପରେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଏଥିପାଇଁ ବ୍ଲକ ଗୁଡିକ ଲାଗି ପୁରସ୍କାର ବ୍ୟବସ୍ଥା ହୋଇଛି । ପୁରସ୍କାର ପ୍ରଦାନ ପାଇଁ ଥିବା ସର୍ତ୍ତ ଅନୁଯାୟୀ ୧୦୦ ରୁ ୨୦୦୦ ପର୍ଯ୍ୟନ୍ତ ହିତାଧିକାରୀଙ୍କ ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବ୍ଲକ ଗୁଡିକ ନଭେମ୍ବର ୧୫ ତାରିଖ ସୁଦ୍ଧା ଦ୍ବିତୀୟ କିସ୍ତିର ଶତ ପ୍ରତିଶତ ଅର୍ଥ ଦେବେ ତେବେ ସେମାନେ ପୁରସ୍କାର ଆକାରରେ ୫୦ହଜାର ଟଙ୍କା ପାଇବେ । ସେହିଭଳି ୨୦୦୧ ରୁ ୪୦୦୦ ଓ ୪୦୦୦ ରୁ ଅଧିକ ହିତାଧିକାରୀଙ୍କ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବ୍ଲକ ଗୁଡିକୁ ଏକ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ।

ପୁରସ୍କାର ରାଶି ବ୍ଲକ ଗୁଡିକ ପାଉଥିବା ଅର୍ଥର ୫୦ ପ୍ରତିଶତ ସେମାନେ କଣ୍ଟିଜେନ୍ସି ଆକାରରେ ନିଜ ଦପ୍ତରରେ ବ୍ୟୟ କରିବେ । ଅବଶିଷ୍ଟ ଅର୍ଥକୁ କର୍ମଚାରୀମାନଙ୍କ ମଧ୍ୟରେ ପୁରସ୍କାର ଆକାରରେ ବଣ୍ଟନ ହେବ । ଏଭଳି ବ୍ୟବସ୍ଥା ଫଳରେ ଅଧିକାଂଶ ବ୍ଲକରେ ଅର୍ଥ ପ୍ରଦାନ ବ୍ୟବସ୍ଥା ଶତ ପ୍ରତିଶତ ହୋଇପାରିଛି । ଏପରିକି ଯେଉଁସବୁ ସ୍ଥାନରେ ହିତାଧିକାରୀମାନେ ସମସ୍ୟାରେ ପଡି ଅର୍ଥ ପାଇବାରେ ବିଳମ୍ବ ସମ୍ଭାବନା ଥିଲା ସେଠାରେ ବ୍ଲକ କର୍ମଚାରୀମାନେ ନିଜ ଆଡୁ ପଦକ୍ଷେପ ଗ୍ରହଣ କରି ସମସ୍ୟା ସମାଧାନ ସହିତ କିସ୍ତି ଅର୍ଥ ପ୍ରଦାନ କରୁଛନ୍ତି । ପୁରସ୍କାର ଘୋଷଣା ଦ୍ବାରା ଏଭଳି ସଫଳତା ମିଳିପାରୁଥିବା ମନ୍ତ୍ରୀ କହିଛନ୍ତି । ବିଭାଗର ଏଭଳି ଅଭିନବ ପଦକ୍ଷେପ ଯୋଗୁଁ କେବଳ କର୍ମଚାରୀମାନେ ଉତ୍ସାହିତ ହୋଇନାହାଁନ୍ତି ବରଂ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଗୃହ ନିର୍ମାଣ ଓ ମନରେଗା ଯୋଜନା ମଧ୍ୟ ଗତିଶୀଳ ହୋଇପାରିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details