ଭୁବନେଶ୍ବର: ଆଜିଠୁ ଯୁକ୍ତଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ସକାଳ 11ଟାରୁ ସେପ୍ଟେମ୍ବର 4 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ । www.samsodisha.gov.in ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମରେ ଛାତ୍ରଛାତ୍ରୀମାନେ କରିପାରିବେ ଆବେଦନ ।
ଆବେଦନ ଶେଷ ପରେ ସେପ୍ଟେମ୍ବର 9 ତାରିଖ ସକାଳ 11ଟାରେ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର 11ତାରିଖରୁ 18 ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ ।
ସେହିପରି ସେପ୍ଟେମ୍ବର 23 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । 24 ତାରିଖରୁ 28 ତାରିଖ ମଧ୍ୟରେ ଏମାନେ ନାମ ଲେଖାଇ ପାରିବେ । ଶେଷରେ ଅକ୍ଟୋବର 1 ତାରିଖରେ ସ୍ପଟ୍ ସିଲେକ୍ସନ ପାଇଁ ତାଲିକା ପ୍ରକାଶ ପାଇବ । 1ରୁ 3 ତାରିଖ ମଧ୍ୟରେ ସ୍ପଟ୍ ନାମଲେଖା ପାଇଁ ସମ୍ପୃକ୍ତ କଲେଜରେ ନାମ ପଞ୍ଜୀକରଣ ହେବ । 3 ତାରିଖରେ ଚୂଡାନ୍ତ ତାଲିକା ଆସିବା ପରେ 5 ତାରିଖରେ ସ୍ପଟ୍ ଆଡମିଶନ ହେବ । ଚଳିତ ବର୍ଷ କୋରୋନାକୁ ଦୃଷ୍ଟିରେ ରଖି ଆବେଦନ ଫିକୁ 100ଟଙ୍କା ହ୍ରାସ କରାଯାଇଛି ।
ଅନ୍ୟପଟେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବାବେଳେ ଆଜିଠାରୁ ରି-ଚେକିଂ ପାଇଁ ଆବେଦନ ହୋଇପାରିବ । ସେପ୍ଟେମ୍ବର 5 ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।