ଭୁବନେଶ୍ବର: ବାତ୍ୟା "ଫନି"ର ତାଡନାର ଶ୍ରୀହୀନ ହୋଇଛି ଓଡିଶା । ଦେଶର ସବୁଜ ସହର ଭାବେ ଖ୍ୟାତି ଲାଭ କରିଥିବା ଭୁବନେଶ୍ବର ସବୁଜ ଆବରଣକୁ ହରାଇ ବସିଛି । ଯାହାକୁ ଆଖିରେ ଦେଖି ହେଉନି । ପୂର୍ବ ଅବସ୍ଥାକୁ ଯଥାଶୀଘ୍ର ଫେରାଇବା ପାଇଁ ଆଗକୁ ଆସିଛନ୍ତି କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ କେତେକ ସଚେତନ ବ୍ୟକ୍ତି ।
ଭିଡିଓ ସୌଜନ୍ୟ : ପ୍ରତିନିଧି,ଭୁବନେଶ୍ବର ଏଥିମଧ୍ୟରେ ରାଜ୍ୟ ସରକାର ମଧ୍ୟ ଭାଙ୍ଗିଥିବା ଗଛର ପୁନଃରୋପଣ ଆରମ୍ଭ କରିଛନ୍ତି । ଆଉ ସେମାନଙ୍କ ସହ ସାମିଲ ହୋଇଛନ୍ତି ବେସରକାରୀ ଅନୁଷ୍ଠାନ ଉନ୍ମୁକ୍ତ ଫାଉଣ୍ଡେସନ । ନିଜର ସ୍ବେଚ୍ଛାସେବୀ ମାନଙ୍କୁ ବନ ବିଭଗାର କର୍ମଚାରୀଙ୍କ ସହିତ ମିଶି ଭାଙ୍ଗିଯାଇଥିବା, ଉପୁଡି ପଡିଥିବା କିମ୍ବା ନଷ୍ଟ ହୋଇନଥିବା ଗଛଗୁଡିକୁ ପୁନଃ ରୋପଣ ସହିତ ତାର ସୁରକ୍ଷା ପାଇଁ ଲାଗିପଡିଛନ୍ତି ।
ଆଜକୁ ଦୁଇ ଦିନ ଧରି ଏହି ପୁନଃରୋପଣ କାର୍ଯ୍ୟରେ ଯୋଡି ହୋଇଛି । ଗତକାଲି 80ରୁ 100 ଗଛର ପୁନଃଉଦ୍ଧାର କରିଥିବା ବେଳେ ଆଜି ପାଖାପାଖି 280 ଗଛର ପୁନଃଉଦ୍ଧାର କାର୍ଯ୍ୟ କରିଛନ୍ତି । ଏହି କାର୍ଯ୍ୟରେ ବନ ବିଭାଗ କର୍ମଚାରୀଙ୍କ ସହିତ 30ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ସାମିଲ ହୋଇଥିବା ବେଳେ ଆହୁରି ଅଧିକ ଜନସାଧାରଣ ଏଥିରେ ସାମିଲ ହୋଇ ସହରକୁ ସୁନ୍ଦର କରିବାରେ ଯୋଗଦାନ ଦେବାକୁ ସଂସ୍ଥାର ସଦସ୍ୟ ଅପରାଜିତା ମହାନ୍ତି ଲୋକଙ୍କୁ ଅନୁରୋଧ କରିଛନ୍ତି ।
ଏହି କାର୍ଯ୍ୟକ୍ରମ ରାଜଧାନୀରେ ଆହୁରି 15 ଦିନ ଧରି ଚାଲୁ ରହିବ ବୋଲି ଜଣା ପଡିଛି । ଏହାପରେ ବର୍ଷା ଋତୁ ଆସିବା ପୂର୍ବରୁ ସହରରେ ବିଭିନ୍ନ ପ୍ରକାର ଗଛ ଲଗାଯିବାର କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ