ଭୁବନେଶ୍ବର: ରାଜ୍ୟରେ ସୂର୍ଯ୍ୟମୁଖୀ ଓ ସୋରିଷ ଭଳି ତୈଳବୀଜ ସହିତ ଡାଲିଜାତୀୟ ଶସ୍ୟ ଉତ୍ପାଦନ ବୃଦ୍ଧି କରାଯିବ । ଏଥି ପାଇଁ କେତେକ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟକୁ ଦାୟିତ୍ୱ ଦିଆଯାଇଛି । ଏଗ୍ରି-କନ୍କ୍ଲେଭ୍ରୁ ମିଳିଥିବା ମତାମତ ଓ ସୁପାରିଶ ଉପରେ ତର୍ଜମା ନିମନ୍ତେ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସୂର୍ଯ୍ୟମୁଖୀ ଓ ସୋରିଷ ସହ ଡାଲିଜାତୀୟ ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଯୋଜନା ବୈଠକରେ ଅଂଶଗ୍ରହଣ କରିଥିବା ବିଭାଗଗୁଡ଼ିକ କନ୍କ୍ଲେଭ୍ରୁ ପାଇଥିବା ଅଭିଜ୍ଞତା, ଦେଶର ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ବଡ଼ କମ୍ପାନୀଗୁଡ଼ିକ ରଖିଥିବା ମତାମତ ଏବଂ ସେ ଦିଗରେ ଆଗେଇବା ନିମନ୍ତେ ସମ୍ପୃକ୍ତ ବିଭାଗ ଦ୍ୱାରା ସ୍ଥିର କରାଯାଇଥିବା ପଦକ୍ଷେପ ଗୁଡ଼ିକୁ ଉପସ୍ଥାପନ କରିବାକୁ କୁହାଯାଇଛି । ବିଶେଷ ଭାବେ ରାଜ୍ୟରେ ଉତ୍ପାଦିତ କୃଷି ସାମଗ୍ରୀର ସଠିକ୍ ବଜାର ସୃଷ୍ଟିର ଅଭାବ ପରିଲକ୍ଷିତ ହେଉଥିବା କନ୍କ୍ଲେଭ୍ରେ ଦର୍ଶାଯାଇଥିବା ହେତୁ ସେ ଦିଗରେ କିପରି ଦୃଢ଼ ପଦକ୍ଷେପ ନିଆଯିବ ତା’ଉପରେ ଆଲୋଚନାରେ ଦୃଷ୍ଟି କେନ୍ଦ୍ରୀତ କରାଯାଇଛି ।
ସୂର୍ଯ୍ୟମୁଖୀ ଓ ସୋରିଷ ସହ ଡାଲିଜାତୀୟ ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଯୋଜନା
ଜୈବିକ ଚାଷର ପ୍ରମାଣ ପତ୍ର ପ୍ରକ୍ରିୟା ପାଇଁ ଚାଷୀମାନଙ୍କୁ ସଚେତନ କରାଯିବ । ଫଳରେ ଘରୋଇ କ୍ରେତା ତଥା ଭାରତୀୟ ପ୍ରୟୋଗଶାଳା ଚାହୁଁଥିବା ପ୍ରମାଣନ ପତ୍ର ପ୍ରଦାନ ସହଜ ହେବ । ଏଥି ସହିତ ଆପିକଲ୍ ବର୍ତ୍ତମାନ ପରାମର୍ଶ ପ୍ରଦାନ ନିମନ୍ତେ ପ୍ରକଳ୍ପ ପରିଚାଳନା ୟୁନିଟ୍ ନିୟୋଜିତ କରିବାକୁ କୁହାଯାଇଛି । ଉଦ୍ୟାନ କୃଷି ବିଭାଗ ଆମ୍ବ, ଲେମ୍ବୁ, ଲଙ୍କା ଓ ହଳଦୀ ପ୍ରଭୃତିର ଚାହିଦା ରହିଥିବା କନ୍କ୍ଲେଭ୍ର ମତାମତରୁ ଜଣାପଡ଼ିଥିବା ଦର୍ଶାଇ ଏହାର ବିକ୍ରୟ ସ୍ଥଳ, କ୍ରେତାଙ୍କ ନାମ ସହିତ କେତେ ପରିମାଣ ଓ କେଉଁପ୍ରକାରର ଶୀତଳଭଣ୍ଡାର ଆବଶ୍ୟକ ତା’ଉପରେ କାର୍ଯ୍ୟ କରିବାକୁ କହିଥିଲେ ।
ସୂର୍ଯ୍ୟମୁଖୀ ଓ ସୋରିଷ ସହ ଡାଲିଜାତୀୟ ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଯୋଜନା ବୃହତ ପୋଲଟି୍ର ବ୍ୟବସାୟିକ ସଂସ୍ଥା ଯଥା, ଭେଙ୍କିସ୍, ଶ୍ରୀନିବାସ୍ ଫାର୍ମ ଏବଂ ଏଫ୍ବି ପ୍ରଭୃତି ଫାର୍ମଗୁଡ଼ିକ ଓଡ଼ିଶାରେ ସମନ୍ୱିତ ପୋଲଟି୍ର ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବାକୁ ଇଚ୍ଛୁକ ଥିବା ଦର୍ଶାଇଥିବା କାରଣରୁ ହ୍ୟଚେରୀକୁ ଶିଳ୍ପର ମାନ୍ୟତା ପ୍ରଦାନ କରିବାକୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ରାଜ୍ୟ ସରକାର ନୀତିରେ ସଂଶୋଧନ କରିବାକୁ ଅନୁରୋଧ କରିଛନ୍ତି । ଓଡ଼ିଶାରେ ବର୍ତ୍ତମାନ ୬୮ଟି ହ୍ୟାଚେରୀ ରହିଥିବାବେଳେ ସରକାରଙ୍କ ଅଧୀନରେ ୪୮ଟି ରହିଛି । ଏଥିରୁ ୧ ଲକ୍ଷ ଚିଆଁ ଉତ୍ପାଦନ କରାଯାଉଛି । ତେଣୁ ଆବଶ୍ୟକ ପଡ଼ୁଥିବା ଚାହିଦାକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଅଣାଯାଇ ପୂରଣ କରାଯାଉଛି । ରାଜ୍ୟରେ ମଧ୍ୟ କୁକୁଡ଼ା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନର ଆବଶ୍ୟକତା ରହିଛି । କାରଣ ବର୍ତ୍ତମାନ ସୁଦ୍ଧା କୌଣସି ବ୍ରାଣ୍ଡଯୁକ୍ତ କମ୍ପାନୀ ଓଡ଼ିଶାରେ ନାହାନ୍ତି କିମ୍ବା ତତ୍କାଳ କୁକୁଡ଼ା ଖାଦ୍ୟ ତିଆରି କଲା ଭଳି ଶିଳ୍ପ ପ୍ରତିଷ୍ଠାନ ନାହିଁ । ବର୍ତ୍ତମାନ ରାଜ୍ୟ ପାଇଁ ବର୍ଷକୁ ୮.୫ ଲକ୍ଷ ମେଟି୍ରକ୍ ଟନ୍ ମକା ଏବଂ ୨.୭ ଲକ୍ଷ ମେଟି୍ରକ୍ ଟନ୍ ସୋୟାର ଆବଶ୍ୟକତା ରହିଛି । ଏସବୁକୁ କୃଷି ବିଭାଗ ଯୋଗାଇବା ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି । ସେହିପରି ହୀରାକୁଦର ଜଳଭଣ୍ଡାରରେ କେଜ୍ କଲଚର ମାଛ ଚାଷକୁ ପ୍ରୋତ୍ସାହିତ କରି ମାଛ ଉତ୍ପାଦନ ବୃଦ୍ଧି କରିବାକୁ ପଡ଼ିବ । ଏସବୁ ଶିଳ୍ପ ପ୍ରତିଷ୍ଠାନର ବିକାଶ ଦିଗରେ ବିଜୁ ଏକ୍ସପ୍ରେସ୍ ୱେ ଏବଂ ୫୫ ନଂ ଜାତୀୟ ରାଜପଥ ବରଦାନ ସାବ୍ୟସ୍ତ ହେବ । ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଦ୍ୱାରା କୃଷି ବିଭାଗ ଓ ନିୟନ୍ତ୍ରିତ ବଜାର କମିଟିକୁ ନେଇ ବୈଠକ ଆୟୋଜନ କରିବାକୁ କୁହାଯାଇଛି । ଆଗାମୀ ଦିନରେ ଖାଦ୍ୟ ଉତ୍ପାଦନ ଅଧିକାରୀମାନଙ୍କ ବୈଠକ ଆହୂତ କରାଯାଇ ଯାହାସବୁ ସମସ୍ୟା ରହିଛି ତାକୁ ଦୂର କରି ବଜାର ସଂଯୋଗୀକରଣ ଏବଂ ବିକ୍ରୀବଟାର ନିୟମିତ କାର୍ଯ୍ୟକ୍ରମ ଚାଲୁ ରଖିବା ଉପରେ ପରାମର୍ଶ ଦିଆଯାଇଛି ।
ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଜି. ରଘୁ ପ୍ରସାଦ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଓସ୍ମା ବୋର୍ଡର ସଦସ୍ୟସଚିବ ବିଶ୍ୱରଞ୍ଜନ ସାସମଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଓଏଲ୍ଏମ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସୀ ନିମ୍ବାଲ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ ଲେଙ୍କା, ପଶୁପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦ୍ଦୁଲା ବିଜୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ମନ୍ମଥ କୁମାର ପାଣି, ଆପିକଲ୍ର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭାବାନୀ ଶଙ୍କର ଦାସ, ଇଟିଭି ଭାରତ