ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପୂରଣ ହେଉନି PG ସିଟ୍ । ଏକାଧିକ ଥର ନାମଲେଖା ପ୍ରକ୍ରିୟା ପରେ ବି ପିଜି ସିଟ୍ ପୂରଣ ହୋଇପାରୁନାହିଁ । ବିଶ୍ବବିଦ୍ୟାଳୟ ସ୍ବୟଂଶାସିତ ଓ ଡିଗ୍ରି ମହାବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ଖାଲି ପଡ଼ିଥିବା ସିଟ୍ ପୂରଣ ଲାଗି ସ୍ବତନ୍ତ୍ର ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ । ଏନେଇ ଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି । ଆସନ୍ତା ୨୫ ତାରିଖ ସୁଦ୍ଧା ନାମଲେଖା ଓ ଡାଟା ଅପଡେସନ୍ ପ୍ରକ୍ରିୟା ଶେଷ ହେବା ନେଇ ବିଜ୍ଞପ୍ତି ଜାରି କରାଯାଇଛି ।
ମେରିଟ୍ ଆଧାରରେ ହିଁ କେବଳ ନାମଲେଖା ହେବ । ମେରିଟ ଲିଷ୍ଟରେ ଥିବା ଛାତ୍ରଛାତ୍ରୀଙ୍କୁ ଡାକି ବିଶ୍ବବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷ ମାନେ ନାମଲେଖା କରାଇବେ । ଏବଂ ନାମଲେଖା ଫି’ କେବଳ ଅଫ୍ଲାଇନ୍ ମୋଡ୍ରେ ହିଁ ଗ୍ରହଣ କରାଯିବ । ଯେଉଁ ଛାତ୍ରଛାତ୍ରୀ ମାନେ କଲେଜ ତରଫରୁ ଇଣ୍ଟିମେସନ୍ ଲେଟର ପଠାଯାଇଥିଲେ ସୁଦ୍ଧା ନାମ ଲେଖାଇ ନାହାନ୍ତି, ସେହି ଛାତ୍ରଛାତ୍ରୀ ମାନଙ୍କୁ ଏହି ପର୍ଯ୍ୟାୟରେ ବିଚାରକୁ ନିଆଯିବ ନାହିଁ ।