ଭୁବନେଶ୍ବର: ଜୀବନ ଜୀବୀକାର ଦାବି ନେଇ ରାଜଧାନୀର ରାଜରାସ୍ତାରେ ବସ୍ତି ବାସିନ୍ଦା । ଭୁବନେଶ୍ବର ସାଲିଆ ସାହି ଉଚ୍ଛେଦ ବିରୋଧରେ ତଥା ସ୍ଥାୟୀ ଜମିପଟ୍ଟା ବଣ୍ଟନ ଦାବିରେ ହଜାର ହଜାର ବସ୍ତି ବାସିନ୍ଦାଙ୍କ ପରିବାର ବିଧାନସଭା ବିଧାନସଭା ସମ୍ମୁଖ ଲୋୟର ପିଏମଜିରେ ଏକ ବିଶାଳ ବିକ୍ଷୋଭ ସମାବେଶରେ ସାମିଲ ହୋଇଛନ୍ତି।
ଭୁବନେଶ୍ବରକୁ ନୂଆକରି ଗଢି଼ବା ନେଇ ସରକାର ଯେଉଁଭଳି ଭାବରେ ବସ୍ତି ବାସିନ୍ଦାଙ୍କ ସହିତ ଅନ୍ୟାୟ କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ବସ୍ତି ଉଚ୍ଛେଦ ନୀତିରୁ ଯଦି ସରକାର ନ ଓହରିବେ, ଆଗାମୀ ଦିନରେ ନିଆଁ ଜଳିବ ବୋଲି ସାଲିଆ ସାହି ବାସିନ୍ଦା କହିଛନ୍ତି। ସେହିପରି ଭୁବନେଶ୍ବର ସନ୍ତୋଷୀ ନଗର ବସ୍ତି ମଧ୍ୟ ସରକାରଙ୍କ ଏ ଉଚ୍ଛେଦ ପ୍ରକ୍ରିୟାକୁ କଡା ବିରୋଧ କରିଛି। ସରକାର ବସ୍ତି ଭାଙ୍ଗିଦେଲେ ଆମେ କୁଆଡେ ଯିବୁ, କେଉଁଠି ରହିବୁ ବୋଲି ପ୍ରଶ୍ନ କରିଛନ୍ତି ବସ୍ତି ବାସିନ୍ଦା ।
ବସ୍ତିର ଉଚ୍ଛେଦ ସରକାରଙ୍କ ଉଦାସୀନତା ପରିଚୟ। ବସ୍ତି ବାସିନ୍ଦାଙ୍କ ପାଇଁ ଏକ ସ୍ବତନ୍ତ୍ର ପଲିସି ସରକାର ଆଣନ୍ତୁ ଏବଂ ବସ୍ତି ବାସିନ୍ଦାଙ୍କ ପାଇଁ କିଛି ନୂଆ କରିବାର ଯୋଜନା ରଖନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି । 200 ଫୁଟ ରାସ୍ତା କରିବା ପାଇଁ ସାଲିଆ ସାହିର ଲଷ୍ମୀପୁର ସାନ୍ତାଳବସ୍ତି, ହଟିଆସୁଣି ନଗର, ଶକ୍ତି ବିହାର, ଏକାମ୍ର ବିହାର, ଆଦିବାସୀ ଗାଁ ଆଦି ଉଚ୍ଛେଦ ପାଇଁ ସରକାରଙ୍କ ଯୋଜନାକୁ ଦୃଢ ନିନ୍ଦା କରିଛି ଭୁବନେଶ୍ବର ବସ୍ତି ବାସିନ୍ଦା ସଂଘ।