ଭୁବନେଶ୍ବର: ଅବସର ପ୍ରାପ୍ତ କର୍ମଚାରୀମାନଙ୍କ ପେନସନ୍ ସମ୍ବନ୍ଧିତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ କରାଯାଇଥିବା ସ୍ବତନ୍ତ୍ର ଅଦାଲତ ପାଇଁ ଅଭିଯୋଗ ଗ୍ରହଣ ଅବଧି ବୃଦ୍ଧି କରାଯାଇଛି । ଏନେଇ ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ସୂଚନା ଦେଇଛନ୍ତି ।
ଅନ୍ଲାଇନ୍ରେ ଦରଖାସ୍ତ ଗ୍ରହଣ ଲାଗି ଚଳିତ ଏପ୍ରିଲ୍ ମାସ ୩୦ ତାରିଖ ଧାର୍ଯ୍ୟ କରାଯାଇଥିଲା । କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖୁ ଏହାକୁ ମେ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯେଉଁ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିରୁଦ୍ଧରେ ଫୌଜଦାରୀ, ଭିଜିଲାନ୍ସ ବା ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଓ ବିଭାଗୀୟ ପ୍ରୋସିଡ଼ି ଆଦି ନାହିଁ, ସେମାନେ ଏହି ପେନସନ୍ ଅଦାଲତରେ ସୁଯୋଗ ନେଇପାରିବେ ।
ଦରଖାସ୍ତ ଏଚ୍.ଆର୍.ଏମ୍ ଏସ୍ ପୋର୍ଟାଲ୍ ( http://pension.hrmsodisha.gov.in ) ମାଧ୍ୟମରେ ଗ୍ରହଣ କରାଯିବ । ଏହି ସମୟ ମଧ୍ୟରେ ମିଳିବା ଦରଖାସ୍ତ ବାବଦରେ ସ୍ଵୀକୃତିପତ୍ର ଅନ୍ଲାଇନ୍ରେ ଦରଖାସ୍ତକାରୀଙ୍କୁ ମିଳିବ । ନିଷ୍ପତ୍ତି ବାବଦ ସୂଚନା ଦରଖାସ୍ତକାରୀଙ୍କୁ ଇମେଲ୍, ଏସ୍ଏମ୍ଏସ୍ ବା ଅନ୍ଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯିବ ।