ଭୁବନେଶ୍ବର:ରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ କଂଗ୍ରେସ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ଏହାକୁ ନେଇ ହାଇକମାଣ୍ଡଙ୍କୁ ଜଣାଇଛନ୍ତି ପସିସି ସଭାପତି ଶରତ ପଟ୍ଟନାୟକ । ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାକୁ କଂଗ୍ରେସ ଭୋଟ ଦେବାକୁ ନିଷ୍ପତ୍ତି ନେଇଥିଲା । ତେବେ ଏହାକୁ ମୋକିମ ଅବମାନନା କରିଛନ୍ତି ।
ଏହାକୁ ନେଇ ରାଜ୍ୟ କଂଗ୍ରେସ ମଧ୍ୟରେ ତୁମ୍ବିତୋଫାନ ଉଠିଛି । ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ମହମ୍ମଦ ମୋକିମଙ୍କ ସମ୍ପର୍କରେ ହାଇକମାଣ୍ଡଙ୍କୁ ଜଣାଇଛୁ । ରାଜ୍ୟରେ କଂଗ୍ରେସ ସୁଦଢ଼ ରହିଛି । ୨୨ ବର୍ଷ ହେଲା ସରକାରରେ ନାହିଁ କଂଗ୍ରେସ । ଏହାସତ୍ତ୍ବେ ରାଜ୍ୟରେ କଂଗ୍ରେସର ଶୁଭେଚ୍ଛୁ ରହିଛନ୍ତି । କଂଗ୍ରେସ ଦଳ ସବୁବେଳେ ହାଇକମାଣ୍ଡଙ୍କ ନିଷ୍ପତ୍ତି ପାଳନ କରି ଆସିଛି । ଭୋଟ ଦେବା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଅଧିକାର । ଏହାକୁ ନେଇ କୌଣସି ଅଧିକ ଗୁରୁତ୍ବ ଦେବା ଆବଶ୍ୟକ ନାହିଁ । ରିପୋର୍ଟ ଆସିବା ପରେ ହିଁ ମୁଁ କାରଣ ଦର୍ଶାଅ ନୋଟିସ କରି ପାରିବି ।"