ଭୁବନେଶ୍ବର: ସାରା ଦେଶରେ ଏବେ ପାର୍ବଣ ଋତୁ । ପଲ୍ଲୀଠାରୁ ସହର ସବୁଠି ମା' ଦୁର୍ଗାଙ୍କ ଶାରଦୀୟ ପୂଜା ଆରମ୍ଭ ହୋଇଯାଇଛି । ଏହାରି ଭିତରେ ପ୍ରତିବର୍ଷ ନିଆରା ଢଙ୍ଗରେ ଦୁର୍ଗାପୂଜା ପାଳନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଦଳୀୟ କର୍ମକର୍ତ୍ତା, ପ୍ରଶଂସକ ଓ ସମର୍ଥକଙ୍କ ସହ ଦଶହରା ପର୍ବ ପାଳନ୍ତି ସୁର । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ପ୍ରତିବର୍ଷ ଦଳୀୟ କର୍ମକର୍ତ୍ତା, ପ୍ରଶଂସକ ଓ ସମର୍ଥକଙ୍କ ସହ ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ସକାଳୁ ଘରେ ପୂଜା ସାରି କେଦାରଗୌରୀ ସ୍ଥିତ ଗୁଆଝରରେ ଏକ ବିଶାଳ ମହାଷ୍ଟମୀ ଭୋଜି କରି ସମସ୍ତଙ୍କୁ ନିମନ୍ତ୍ରଣ କରନ୍ତି । ଅର୍ଣ୍ଣ, ଡାଲି, ବେସର, ମହୁର, ଘାଣ୍ଟ, ମଟନ, ଖିରି ଭଳି ସୁସ୍ବାଦୁ ଭୋଜନ ପ୍ରସ୍ତୁତ ହୋଇଥାଏ । ଏକ ପେଣ୍ଡାଲରେ ସଙ୍ଗୀତ ଆସର ମଧ୍ୟ ଜମେ । ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଏ । ସୁର ରାଉତରାୟ ନିଜେ ସବୁ ବୁଝାବୁଝି କରନ୍ତି ।