ଭୁବନେଶ୍ବର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗାଦିରୁ ତଡିବା ପାଇଁ ଏକାଠି ହେଲେ କଂଗ୍ରେସର ଯୁବ ଗୋଷ୍ଠୀ । ଏନେଇ ଶୁକ୍ରବାର ରେଡକ୍ରସ ଭବନରେ କିଛି ଯୁବ ନେତା ମେଳି ବାନ୍ଧିଥିଲେ । ଏମାନଙ୍କ ଭିତରେ ଥିଲେ ବିଭିନ୍ନ ଜିଲ୍ଲାର ପୂର୍ବତନ ଯୁବ କଂଗ୍ରେସ ସଭାପତି । ଏହି ବୈଠକରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ପସିସି ସଭାପତି କରିବା ପାଇଁ ସଙ୍କଳ୍ପ ପାରିତ ହୋଇଛି ।
ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ଅବସ୍ଥା ଯାହା ଏହାକୁ ସୁଧାରିବା ପାଇଁ ଜଣେ ଯୁବ ନେତୃତ୍ବର ଆବଶ୍ୟକତା ରହିଛି । ସେଥିପାଇଁ ମହମ୍ମଦ ମୋକିମ ଉଚିତ ପ୍ରାର୍ଥୀ ବୋଲି ଯୁବନେତା ମାନେ ଯୁକ୍ତି ବାଢ଼ିଛନ୍ତି । ନିରଞ୍ଜନକୁ ତଡିବା ପାଇଁ ସେମାନେ ଚାହୁନାହାଁନ୍ତି କିନ୍ତୁ ଯେହେତୁ ତାଙ୍କ ନେତୃତ୍ବରେ କଂଗ୍ରେସ ସ୍ଥିତି ଅତି ଶୋଚନୀୟ ହୋଇପଡିଛି ତେଣୁ ସେମାନେ ଏପରି ପଦକ୍ଷେପ ନେଉଥିବା କହିଛନ୍ତି । ଏହାସହ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ବି 9ରେ ପହଞ୍ଚିଛି । ଏପରିକି ରାଜ୍ୟରେ ସଙ୍ଗଠନ ଦୁର୍ବଳ ହୋଇପଡିଛି । ପ୍ରସଙ୍ଗ ଥିଲେ ବି କଂଗ୍ରେସ ତାର ସ୍ଥିତି ଜାହିର କରିପାରୁନି । ଯାହାକୁ ନେଇ ଦଳରେ ଅସନ୍ତୋଷ ବୃଦ୍ଧି ପାଉଛି ।