ଭୁବନେଶ୍ବର: ଓଡ଼ିଶାର ବହୁ ପ୍ରବାସୀ ଶ୍ରମିକ ବିଭିନ୍ନ ରାଜ୍ୟରେ ଅଟକି ରହିଛନ୍ତି ଏବଂ ସେମାନଙ୍କ ନିକଟରେ ଜୀବନ ନିର୍ବାହ କରିବା କିମ୍ବା ଘରକୁ ଫେରିବାର କୌଣସି ସାଧନ ନାହିଁ । ମାର୍ଚ୍ଚ 25ରୁ ଦେଶବ୍ୟାପୀ ଲକଡାଉନ ଜାରି ଥିବାରୁ ସେମାନେ ଅଧିକ ପ୍ରଭାବିତ ହୋଇଛନ୍ତି । ଏମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ଦିନକୁ ପ୍ରାୟ 30ଟି ଟ୍ରେନ ଲୋଡା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି ବସଷ୍ଟପ୍ ଏବଂ ରେଳଷ୍ଟେସନ ଭଳି ବିଭିନ୍ନ ଟ୍ରାନ୍ଜିଟ ସ୍ଥଳରେ ସେମାନେ ହୁଏତ ଅଟକିଛନ୍ତି । ଅଥବା ଚାଲିଚାଲି ଘରକୁ ଫେରୁଥିବା ହଜାର ହଜାର ଚିତ୍ର ଆମ ଦୃଷ୍ଟିକୁ ଆସୁଛି ଏବଂ ଏହା ସମଗ୍ର ଦେଶର ବିବେକକୁ ଦୋହଲାଇ ଦେଇଛି । ତେବେ ଏମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ବର୍ତ୍ତମାନ ଦିନକୁ ଯେଉଁଭଳି ୫ରୁ ୭ଟି ଟ୍ରେନ ନିୟୋଜିତ କରାଯାଉଛି , ତଦ୍ବାରା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାକୁ ପାଖାପାଖି ଛଅ ମାସ ଲାଗିଯିବ । ତେଣୁ ଏହି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଦୈନିକ ୩୦ଟି ଟ୍ରେନ ଓଡ଼ିଶାରୁ ଚଳାଚଳ କରିବା ଦିଗରେ ପଦକ୍ଷେପ ନେବାକୁ ନିରଞ୍ଜନ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।
ଏଥିରେ ନିରଞ୍ଜନ ଦର୍ଶାଇଛନ୍ତି ଯେ, ପ୍ରବାସୀ ଶ୍ରମିକଙ୍କ ପ୍ରତି ଦୃଷ୍ଟି ଦେବାକୁ ପୂର୍ବରୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏବେ ସେମାନଙ୍କୁ ଯଥାଶୀଘ୍ର ଫେରାଇ ଆଣିବାକୁ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ରେଳମନ୍ତ୍ରୀ ରାଜ୍ୟଗୁଡିକୁ ପତ୍ରଲେଖି ସେମାନଙ୍କ ରାଜ୍ୟକୁ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କେତେ ସଂଖ୍ୟକ ଟ୍ରେନର ଆବଶ୍ୟକତା ରହିଛି ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି ।
କେନ୍ଦ୍ର ଅର୍ଥମନ୍ତ୍ରୀ ଚଳିତ ମାସ ୧୭ ତାରିଖରେ ତାଙ୍କ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଘୋଷଣାରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ, ମାତ୍ର ତିନିଘଣ୍ଟା ପୂର୍ବ ନୋଟିସରେ ଭାରତୀୟ ରେଳବାଇ ଦେଶର ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ ୧୫୦୦ ଟ୍ରେନ ଉପଲବ୍ଧ ପାଇଁ ପୂର୍ଣ୍ଣ ସମର୍ଥ ରହିଛି । ଏହାକୁ ବିଚାରକରି ପରିସ୍ଥିତିର ମୁକାବିଲା ପାଇଁ ଆମକୁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ହେବ ବୋଲି ନିରଞ୍ଜନ କହିଛନ୍ତି ।
ବିହାର ସରକାର ଭାରତୀୟ ରେଳବାଇ ସହିତ ମିଶି ଦୈନିକ ୫୦ଟି ଶ୍ରମିକ ଟ୍ରେନ ଚଳାଚଳ ନିମନ୍ତେ କାର୍ଯ୍ୟ ଆରମ୍ଭ କରିଛନ୍ତି । ସେହିଭଳି ଉତ୍ତରପ୍ରଦେଶ ସରକାର ଦୈନିକ ୧୦୦ ଶ୍ରମିକ ଟ୍ରେନ ଚଳାଇବାକୁ ଯୋଜନା କରୁଛନ୍ତି । ତେବେ ଏଭଳି ଓଡ଼ିଶା କାହିଁକି କରି ନ ପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଭଳି ପରିସ୍ଥିତିର ସମାଧାନ ନିମନ୍ତେ ନିରଞ୍ଜନ କେତେକ ପ୍ରସ୍ତାବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ।
ନିରଞ୍ଜନଙ୍କ ପ୍ରସ୍ତାବ
ଓଡ଼ିଶାର ବିଭିନ୍ନ ଷ୍ଟେସନରେ ଦୈନିକ ୩୦ଟି ଟ୍ରେନରେ ଆସୁଥିବା ଯାତ୍ରୀଙ୍କୁ ଗ୍ରହଣ କରିବାକୁ ସରକାର ପର୍ଯ୍ୟାପ୍ତ କ୍ଷମତା ପ୍ରସ୍ତୁତ କରିବା ଆବଶ୍ୟକ । ପ୍ରତି ଷ୍ଟେସନରେ ପହଞ୍ଚୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ, ପାନୀୟଜଳର ସୁବିଧା ଉପଲବ୍ଧ କରାଯିବା ଆବଶ୍ୟକ । ସମସ୍ତ ପଞ୍ଜିକୃତ ପ୍ରବାସୀ ଶ୍ରମିକଙ୍କ ପାଇଁ ସରକାର କ୍ବାରେଣ୍ଟାଇନ ସେଣ୍ଟରଗୁଡିକର କ୍ଷମତା ବୃଦ୍ଧି ସହିତ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ରଗୁଡିକର କ୍ଷମତା ବୃଦ୍ଧି ଦିଗରେ ଯୋଜନା ପ୍ରସ୍ତୁତ କରିବାଦରକାର । ପ୍ରବାସୀ ଶ୍ରମିକଙ୍କୁ ନିର୍ବିଘ୍ନରେ ସେମାନଙ୍କ ଅଞ୍ଚଳର କ୍ବାରେଣ୍ଟାଇନ ସେଣ୍ଟରଗୁଡିକୁ ସ୍ଥାନାନ୍ତର କରିବାକୁ ସରକାର ପର୍ଯ୍ୟାପ୍ତ ସଂଖ୍ୟାରେ ବସ୍/ ସ୍ଥାନୀୟ ଯାତାୟତ ସୁବିଧା ଯୋଗାଇଦେବା ଆବଶ୍ୟକ ।
ଲକ୍ଡାଉନର କାର୍ଯ୍ୟକାରିତାକୁ ନେଇ ନିୟମ ବାରମ୍ବାର ପରିବର୍ତ୍ତନ ହେଉଥିବା ଏବଂ ଅନିଶ୍ଚିତତା ରହୁଥିବାରୁ ତାହା ପ୍ରବାସୀଶ୍ରମିକଙ୍କୁ ଅପ୍ରତ୍ୟାଶିତ ଅସୁରକ୍ଷିତ ସ୍ଥିତିକୁ ଠେଲିଦେଉଛି । ଯାହାକି ସେମାନଙ୍କର ଜୀବନ ଜୀବିକାକୁ ବିପନ୍ନ କରିଦେଉଛି । ସେମାନେ ନିଜ ପରିବାର ସହିତ ରହିବାକୁ ଚାହୁଁଛନ୍ତି ଏବଂ ସେମାନଙ୍କର ମିଳନ ନିଶ୍ଚିତ କରିବା ସରକାରଙ୍କର ଦାୟିତ୍ୱ । ସର୍ବୋପରି ସରକାର ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ଫେରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏହା ସେମାନଙ୍କୁ ଅନେକ ଆଶ୍ୱସ୍ତି ଏବଂ ସ୍ୱାଚ୍ଛନ୍ଦ୍ୟ ଆଣିଦେଇପାରିବ । ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବ ଉପରେ ବିଚାର କରିବେ ବୋଲି ନିରଞ୍ଜନ ଆଶା ପୋଷଣ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ