ଭୁବନେଶ୍ବର: ଲୋକସଭା ହେଉ ଅବା ରାଜ୍ୟସଭା । ପ୍ରସଙ୍ଗ ଉପସ୍ଥାପନ ନକରିବା ତଥା ରାଜ୍ୟର ସ୍ବାର୍ଥ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ଆଲୋଚନା ବେଳେ ସାମିଲ ନହେବା ବିଜେଡି ବିଜେପି ମଧ୍ୟରେ ଅବୈଧ ସନ୍ଧି ହୋଇଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ। ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ଆଣିଛନ୍ତି ଏଭଳି ଅଭିଯୋଗ ।
ସଂସଦରେ ପ୍ରସଙ୍ଗ ନଉଠାଇବା ଏବଂ କଂଗ୍ରେସ ଉଠାଉଥିବା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ଆଲୋଚନାରେ ଭାଗ ନନେବା କହିଛନ୍ତି। ଗତ ଅକ୍ଟୋବର ମାସ ୨୬ ତାରିଖରେ ଦେଶର ଅର୍ଥନୈତିକ ଦୂରାବସ୍ଥା ସମ୍ପର୍କରେ ରାଜ୍ୟସଭାରେ ଆଲୋଚନା ପାଇଁ ବିଭିନ୍ନ ରାଜନୈତିକ ଦଳର ସାଂସଦଙ୍କ ସହିତ ବିଜେଡିର ୩ଜଣ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର ଓ ଏନ୍.ଭାସ୍କର ରାଓ ଆଲୋଚନା ପାଇଁ ନୋଟିସ ଦେଇଥିଲେ। ଏହି ନୋଟିସକୁ ଆଧାର କରି ରାଜ୍ୟସଭା ପକ୍ଷରୁ ୨୭ ତାରିଖ ଆଲୋଚନା ପାଇଁ ଗୃହର ରିଭାଇଜଡ୍ ଲିଷ୍ଟ ଅଫ ବିଜନେସ ଉପରୋକ୍ତ ୩ଜଣ ବିଜେଡି ସାଂସଦଙ୍କ ନାମ ପ୍ରକାଶିତ ହୋଇଥିଲା। ହେଲେ ଦୁର୍ଭାଗ୍ୟର କଥା ଓଡିଶାରୁ ପ୍ରତିନିଧିତ୍ବ କରୁଥିବା ତିନିଜଣ ସାଂସଦ ଏହି ଆଲୋଚନାରେ ଭାଗ ନେଲେ ନାହିଁ ବୋଲି କହିଛନ୍ତି ପିସିସି ସଭାପତି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ
ସେ ଆହୁରି କହିଛନ୍ତି ୨୯ ଅକ୍ଟୋବରରେ ଓଡିଶାର ଅତ୍ୟନ୍ତ ସ୍ପର୍ଶକାତର ଓ ଗୁରୁତ୍ବପୂର୍ଣ୍ଣ ସ୍ମିତାରାଣୀ ଗଣଦୁଷ୍କର୍ମ ପ୍ରସଙ୍ଗକୁ କଂଗ୍ରେସ ସାଂସଦ ସପ୍ତଗିରୀ ଉଲାକା ଶୂନ୍ୟକାଳରେ ଦୃଷ୍ଟି ଆକର୍ଷଣ କରିଥିବା ସମୟରେ ବିଜେଡିର ୩ ଜଣ ସାଂସଦ ଏହାକୁ ବିରୋଧ କରିଥିଲେ ଏବଂ ବିଜେପି ସାଂସଦ ଏଥିରେ ନିରବଦ୍ରଷ୍ଟା ସାଜି ପରୋକ୍ଷରେ ପ୍ରସଙ୍ଗ ନଉଠାଇବା ପାଇଁ ନିରବ ସମର୍ଥନ କରିଥିଲେ । ଖାଲି ସେତିକି ନୁହେଁ ସଦ୍ୟ ସମାପ୍ତ ଏଆଇଆଇଏମ୍ଏସ ସଭ୍ୟ ପଦ ନିର୍ବାଚନରେ ବିଜେପିର ରାଜ୍ୟସଭାରେ ୮୧ ସାଂସଦ ଥିବା ସ୍ଥଳେ ବିଜେଡି ସାଂସଦ ଅମର ପଟ୍ଟନାୟକ ୭ ଜଣ ସାଂସଦଙ୍କ ଭୋଟରେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ହରାଇ ନିର୍ବାଚିତ ହେଲେ।
ଏହି ଦୁଇଟି ଘଟଣା ଓ ଏଆଇଆଇଏମ୍ଏସ୍ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଜେପି-ବିଜେଡି ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ସଂସଦରେ ଆଲୋଚନା ନକରିବା ପାଇଁ ଏକ ଅବୈଧ ସନ୍ଧି କରିଛନ୍ତି । ଯାହା ରାଜ୍ୟ ସ୍ବାର୍ଥର ସଂପୂର୍ଣ୍ଣ ଭାବେ ପରିପନ୍ଥୀ ଅଟେ ବୋଲି କଂଗ୍ରେସ ଭବନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଯଜ୍ଞେଶ୍ବର ବାବୁ, ନିଶିକାନ୍ତ ମିଶ୍ର ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ