ଭୁବନେଶ୍ବର: କୋରୋନା କାଳରେ ଚଳିତ ବର୍ଷ ରବି ଧାନ ଫସଲ ଫଳେଇବା ପାଇଁ ଚାଷୀ କମ କଷ୍ଟ କରିନାହିଁ । ଚାଷୀକୁ ବହୁ କଷ୍ଟ କରିବାକୁ ପଡିଛି । କୋରୋନାର ଭୟକୁ ବେଖାତିର କରି ସେ ଫସଲ ଫଳେଇଲା । ଧାନ ଅମଳ ବେଳକୁ ମାଡିଆସିଲା କାଳ ବୈଶାଖୀ । ପାଚିଲା ଧାନକୁ ପାଣିରୁ ଛାଣି ଆଣି ଅମଳ କରିବା ଓ ତାକୁ ଶୁଖେଇବା ପାଇଁ ନୟାନ୍ତ ହେଲା ଚାଷୀ । ତା ପରେ ପରେ ଆସିଲା ୟସ ବାତ୍ୟା । ଅମଳ ହୋଇଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ଝାଳ ନାଳ ହୋଇଗଲେ ଚାଷୀ । ମାତ୍ର ଏତିକିରେ ସେମାନଙ୍କ ଦୁର୍ଦଶାର ଅନ୍ତ ହେଲା ନାହିଁ । ଏବେ ଧାନ ବିକିବା ପାଇଁ ଦୁର୍ଦ୍ଦଶାର ସାମ୍ନା କରୁଛି ଚାଷୀ । ଆଗର ଦୁର୍ଦ୍ଦଶାର କାରଣ ଥିଲା ମହାମାରୀ କୋରୋନା ଏବଂ ପ୍ରକୃତି । ମାତ୍ର ଏବେ ସେମାନଙ୍କ ଦୁର୍ଦ୍ଦଶାର କାରଣ ହେଉଛନ୍ତି ସରକାର । ଆଜି ଏ ନେଇ ଏକ ବିଜ୍ଞପ୍ତି ଜରିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ନିରଞ୍ଜନ କହିଛନ୍ତି, ଚାଷୀଙ୍କ ଠାରୁ ଧାନ କିଣିବା କ୍ଷେତ୍ରରେ ଅଦ୍ଭୁତ ନୀତି ସରକାରଙ୍କର । ଚାଷୀ ଯାହା ଧାନ ଅମଳ କଲା, ସେଥିରୁ କେତେ ସରକାର କିଣିବେ ତାର ଠିକଣା ନାହିଁ । କାହାର କେତେ ଧାନ ଅମଳ ହେବ ତା ପାଇଁ ସରକାର ଆରଆଇ ମାନଙ୍କ ଦେଇ ଏକ ଆକଳନ କରିଥିଲେ । ରେଜିଷ୍ଟ୍ରସନ ପାଇଁ ପଟ୍ଟା ଏବଂ ଜମିର କାଗଜ ପତ୍ର ମାଗିଲେ । ସେଥିପାଇଁ ଚାଷୀ ମଧ୍ୟ କମ ଧାଁ ଧପଡ଼ କରିନାହିଁ । କିନ୍ତୁ ସେସବୁ ଚୁଲିକି ଗଲା । ଆକଳନ ମୁତାବକ ଟାର୍ଗେଟ ଆସିଲା ନାହିଁ । ସବୁ ଧାନ କିଣାଯିବ ନାହିଁ ବୋଲି ସରକାର ନିଷ୍ପତି କରି ଚାଷୀଙ୍କୁ ଶୁଣାଇଦେଲେ । କିନ୍ତୁ କେତେ କିଣାଯିବ କହିଲେ ନାହିଁ । କହିଲେ ଚାଷୀଙ୍କ ପାଖରେ ଟୋକନ ପହଞ୍ଚିବ । ଟୋକନ ପହଞ୍ଚିଲା । ମାତ୍ର ସେଥିରେ ଚାଷୀ ଅମଳ କରିଥିବା ଧାନର ଏକ ତୃତୀୟାଂଶ ମାତ୍ର ଦର୍ଶାଯାଇଥିଲା । ହେଲେ ତା ମଧ୍ୟ କିଣା ଗଲାନାହିଁ । ଟୋକନ ନେଇ ମଣ୍ଡିକୁ ଗଲାବେଳକୁ ମିଲ ବାଲା ଆସିଲା ନାହିଁ । ଫଳରେ ଅନେକ ଚାଷୀଙ୍କ ଟୋକନ ଅକାମି ହୋଇଗଲା । ଟୋକନ ବ୍ୟବସ୍ଥା ମଧ୍ୟ ଚାଷୀ ପାଇଁ ଏକ ପେଁଚ । ଆଗରୁ ଟୋକନ ବ୍ୟବସ୍ଥା ମାସେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହୁଥିଲା । ମାତ୍ର ଏବେ ତାକୁ ପନ୍ଦର ଦିନରେ ଅକାମି କରି ଦିଆଯାଉଛି । ଫଳରେ ସେହି ସମୟ ଭିତରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ପାରିଲା ନାହିଁ । ତାହା ହିଁ ଅନେକ ଚାଷୀଙ୍କ କ୍ଷେତ୍ରରେ ହୋଇଛି ।