ଭୁବନେଶ୍ବର: ବହୁମୁଖୀ ପ୍ରତିଭାର ଅଧିକାରୀ, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ମରଣାର୍ଥେ ସାର୍ବଜନୀନ ଶ୍ରଦ୍ଧାଞ୍ଜଳି ସଭା । ଏହି ସଭାରେ ଜେଟଲୀଙ୍କ ସ୍ମୃତିଚାରଣ କଲେ ରାଜ୍ୟର ବିଭିନ୍ନ ଦଳର ତୁଙ୍ଗ ନେତା ଓ ବ୍ୟକ୍ତିବିଶେଷ । ଓଡିଶା ପ୍ରତି ଜେଟଲୀଙ୍କ ଅବଦାନ ଓ ଭଲପାଇବାକୁ ସବୁ ଦଳ ମନେ ପକାଇଛନ୍ତି । ଦଳ, ମତ ନିର୍ବିଶେଷରେ ସମସ୍ତେ ଯୋଗ ଦେଇ ଜେଟଲୀଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ଅରୁଣ ଜଣେ ଅଜାତଶତ୍ରୁ ଥିଲେ । ୧୯୭୪ ମସିହାରେ ନାନାଜି ଦେଶମୁଖଙ୍କ ଉପସ୍ଥିତିରେ ଏକ ଆନ୍ଦୋଳନରେ ତାଙ୍କ ସହିତ ପ୍ରଥମ ଦେଖାହୋଇଥିଲା । ସେ ଅତ୍ୟନ୍ତ ସରଳ ବ୍ୟକ୍ତିତ୍ବ । କିଛି ଏପରି ଢଙ୍ଗରେ ଅରୁଣଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେହିପରି ଅରୁଣ ଜଣେ ବିଚକ୍ଷଣ ରାଜନେତା,ଆଇନଜ୍ଞ । ସଂସଦ ଭିତରେ ଓ ବାହାରେ ଗଣତନ୍ତ୍ରକୁ କିପରି ମର୍ଯ୍ୟାଦା ସହ ରକ୍ଷା କରାଯାଏ ,ସେନେଇ ଅନେକ ପଦକ୍ଷେପ ନେଇଛନ୍ତି । ଯଦିଓ ଅରୁଣଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ନଥିଲା,କିନ୍ତୁ ଓଡ଼ିଶା ପ୍ରତି ତାଙ୍କର ଅତୁଟ ଭଲ ପାଇବା ଥିଲା ବୋଲି କହିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ମୁଁ ଯେତେବେଳେ ମନ୍ତ୍ରୀ ଥିଲି ସରକାରୀ କାର୍ଯ୍ୟରେ ଦିଲ୍ଲୀ ଗଲେ ସେ ସବୁବେଳେ ନବୀନ ବାବୁଙ୍କ କଥା ପଚାରୁଥିଲେ । ଅତ୍ୟନ୍ତ ଭଲ ହୃଦୟର ଲୋକ । ଜଗନ୍ନାଥ ତାଙ୍କ ଆତ୍ମାର ସଦଗତି କରନ୍ତୁ ବୋଲି ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।