ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାକୁ ନେଇ ସରଗରମ ହୋଇ ଉଠିଛି ରାଜନୀତି । ଏନେଇ ସରକାରଙ୍କୁ ଘନଘନ ଟାର୍ଗେଟ କରୁଛନ୍ତି । ଏହାରି ମଧ୍ୟରେ ଦୁଷ୍ମନ୍ତଙ୍କ ପରିବାରକୁ ପୋଷ୍ୟ ପରିବାର ଭାବେ ଗ୍ରହଣ କରିବାକୁ ଆଗେଇ ଆସିଛନ୍ତି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ।ବାପା, ମା', ସ୍ତ୍ରୀ ଓ ପିଲାର ଭରଣ ପୋଷଣ ସହ ପିଲାର ପାଠ ପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବେ ବିଧାୟକ ସମ୍ବିତ । ମାନବିକତା ଦୃଷ୍ଟିକୋଣରୁ ଅଞ୍ଚଳର ବିଧାୟକ ହିସାବରେ ମୋର କର୍ତ୍ତବ୍ୟ ଭାବି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ସମ୍ବିତ ।
ଦୁଷ୍ମନ୍ତ ଓ ତା ମା' ଏପ୍ରିଲ ୧୩ରେ ମୋ ପାଖକୁ ଆସିଥିଲେ । ତାର ଚିକିତ୍ସା ପାଇଁ ଏସସିବି କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରି ବ୍ୟବସ୍ଥା କରିଥିଲି । ଦୁଷ୍ମନ୍ତ କେବେ କୁଆଡ଼େ ଏକା ଯାଏନି । ତା'ର ମା'କୁ ଧରି ସବୁଆଡେ ଯାଏ । ହେଲେ ଏଭଳି ଘଟଣା ବଡ ଦୁଃଖଦୟକ । ନ୍ୟାୟ ନ ପାଇଲେ ଲୋକେ ବିଧାନସଭା ସମ୍ମୁଖକୁ ଆସୁଛନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ସମ୍ବିତ ।