ଭୁବନେଶ୍ବର: ଆସନ୍ତା ବର୍ଷ ଫେବ୍ରୁଆରୀ ମାସରେ ପଞ୍ଚାୟତ ନିର୍ବାଚନ ନେଇ ଏକ ପ୍ରକାର ନିଷ୍ପତ୍ତି ହୋଇସାରିଛି । ୫ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ଫଳ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ । ତେବେ କେଉଁ ତାରିଖରେ ଭୋଟ୍ ହେବ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ନିର୍ବାଚନ କମିଶନ । ସରପଞ୍ଚ ଓ ପଞ୍ଚାୟତ ସମତି ପଦବୀ ପାଇଁ ସଂରକ୍ଷଣ ଚୂଡ଼ାନ୍ତ ତାଲିକା ଜିଲ୍ଲାପାଳମାନେ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରିଛନ୍ତି । ସମସ୍ତ ଅଭିଯୋଗର ଶୁଣାଣି କରି ଚୂଡାନ୍ତ ତାଲିକା ହସ୍ତାନ୍ତର କରିଛି ବିଭାଗ ।
ସେହିଭଳି ଜିଲ୍ଲା ପରିଷଦ ପଦବୀ ପାଇଁ ଚୂଡ଼ାନ୍ତ ତାଲିକା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରାଯାଇଛି । ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ଶେଷ ହେବ । ତେଣୁ ନିୟମ ଅନୁସାରେ ତା’ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଶେଷ ହୋଇଛି । ୱାର୍ଡମେମ୍ବର, ସରପଞ୍ଚ, ସମତିସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶନ ସହ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରାଯାଇଛି ।