ଓଡିଶା

odisha

ETV Bharat / city

‘ମୋ ସରକାର’ ଯୋଜନାକୁ ଶକ୍ତ ଚାପୁଡା: ବ୍ଲକ କାର୍ଯ୍ୟାଳୟକୁ ଆସୁନାହାନ୍ତି ଅଫିସର - panchayatiraj minister

ବାଲିପାଟଣା ବ୍ଲକକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଚାନକ ଗସ୍ତ । ଗସ୍ତ ସମୟରେ ବ୍ଲକରେ ବିଭିନ୍ନ ଅବ୍ୟବସ୍ଥା ହେଉଥିବା ଜାଣି ବିଡିଓଙ୍କୁ ନୋଟିସ କରିଛନ୍ତି ମନ୍ତ୍ରୀ ।

ଡିଜାଇନ ଫଟୋ

By

Published : Oct 21, 2019, 10:28 PM IST

Updated : Oct 22, 2019, 12:00 AM IST

ଭୁବନେଶ୍ବର: 5‘ଟି’ ଓ ମୋ ସରକାରର ସଫଳତାକୁ ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବାବେଳେ ଏହାର ବାସ୍ତବ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଖୋଦ ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଳକ କାର୍ଯ୍ୟାଳୟରେ । ଲୋକଙ୍କୁ ସୁବିଧା ଅସୁବିଧା ବୁଝିବା ତ ଦୂରର କଥା ସକାଳ 10.40 ସୁଦ୍ଧା ବି କାର୍ଯ୍ୟାଳୟକୁ ଆସୁନାହାଁନ୍ତି ଅଫିସର । ମାସ ମାସ ଧରି ଅନୁପସ୍ଥିତ ରହୁଛନ୍ତି । ଏପରିକି ଉପସ୍ଥାନ ଖାତାରେ ବି ଆସିଥିବା କର୍ମଚାରୀ ଦସ୍ତଖତ କରୁନାହାଁନ୍ତି । ଆଜି ବ୍ଲକକୁ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଚାନକ ଗସ୍ତ ପରେ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି ମନ୍ତ୍ରୀ । ଏହା ସହ ଅବ୍ୟବସ୍ଥା ଗୁଡିକର ତଦନ୍ତ କରାଯିବ ବୋଲି ମଧ୍ୟ କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ସକାଳ 10ଟା 40ରେ 5‘ଟି’ ଓ ମୋ ସରକାର ଯୋଜନା କେମିତି ଚାଲିଛି, ପ୍ରଶାସନ କେତେଦୂର ଲୋକଙ୍କ ପାଖରେ ପହଞ୍ଚି ପାରୁଛି ସେ ସବୁର ବାସ୍ତବତା ଜାଣିବା ପାଇଁ ବାଲିପାଟଣା ବ୍ଲକରେ ପହଞ୍ଚିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ସାଙ୍ଗରେ ଥିଲେ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ଦାଶ । ମନ୍ତ୍ରୀ ପହଞ୍ଚିବା ସମୟରେ ବ୍ଲକ କାର୍ଯ୍ୟାଳୟ ବ୍ଲକ ଅତିରିକ୍ତ ଉନ୍ନୟନ ଅଧିକାରୀ ଜଗିଥିବାବେଳେ ବିଡିଓଙ୍କ ସମେତ ଅଧିକାଂଶ କର୍ମଚାରୀ ଦପ୍ତରରେ ଅନୁପସ୍ଥିତ ଥିଲେ । ତେବେ ବିଡିଓଙ୍କୁ ଲୋକପାଳଙ୍କ ପାଖରୁ ଡକରା ଆସିଥିବାରୁ ସେ ଅନୁପସ୍ଥିତ ଥିବା ଜଣାପଡିଥିଲା । ସ୍ଥିତି ଅନୁଧ୍ୟାନ ସମୟରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ସାମ୍ନାକୁ ଆସିଥିଲା ଅନେକ ଅବ୍ୟବସ୍ଥା । ଏହି ସମୟରେ ଆରଡବ୍ଲୁଏସଏସ ଯନ୍ତ୍ରୀ ଅନୁପସ୍ଥିତ ଥିବାରୁ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ତତକ୍ଷଣାତ ଫୋନ କରିଥିଲେ ମନ୍ତ୍ରୀ ।

ତେବେ କେବଳ ଆଜି ନୁହେଁ ମାସକୁ ପ୍ରାୟ ସବୁଦିନ ଏହି ଅଧିକାରୀମାନେ ବ୍ଲକ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବା ସ୍ଥାନୀୟ ଲୋକେ ବିଭାଗୀୟ ମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି । ସେପଟେ ବାଲିପାଟଣା ବ୍ଲକ ଅତିରିକ୍ତ ଉନ୍ନୟନ ଅଧିକାରୀ ନୃସିଂହ ପ୍ରସାଦ ମିଶ୍ର ଏହାକୁ ଖଣ୍ଡନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ଲକ କର୍ମଚାରୀଙ୍କୁ ଯିବାକୁ ପଡୁଛି, ତେଣୁ ଏପରି ଅଭିଯୋଗ ଆସୁଥିବା ସେ କହିଛନ୍ତି ।

ସେପଟେ ବ୍ଲକ ପରିସରରେ ଥିବା ପୋଖରୀର ଉନ୍ନତୀକରଣ ପାଇଁ ମନ୍ତ୍ରୀ ନିଜସ୍ବ ପାଣ୍ଠିରୁ ଟଙ୍କା ମଞ୍ଜୁର କରିବେ ବୋଲି କହିଛନ୍ତି । ଏହା ସହ ପ୍ରତ୍ୟେକ ସୋମବାର ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗର ଶୁଣାଣି ହେବା ସହ ଏହି ସମୟରେ ବ୍ଲକର ସମସ୍ତ ଅଧିକାରୀ ଉପସ୍ଥିତ ରହିବେ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, 2018-19 ଆମ ଗାଁ ଆମ ବିକାଶରେ ଯୋଜନାରେ ବ୍ଲକକୁ 9 କୋଟି ଟଙ୍କା ମଞ୍ଜୁର ହୋଇଥିଲା । ସେଥିମଧ୍ୟରୁ ଅଗ୍ରୀମ ଦୁଇ କୋଟି ଟଙ୍କା ଆସିଥିଲା । ତେବେ ଆଜି ସୁଦ୍ଧା ସେଥିରୁ 22 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିଛି । ଯାହା ବ୍ଲକର କାର୍ଯ୍ୟଶୈଳୀ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Oct 22, 2019, 12:00 AM IST

ABOUT THE AUTHOR

...view details