ଓଡିଶା

odisha

ETV Bharat / city

ଖଡଗହସ୍ତ ପଞ୍ଚାୟତରାଜ ବିଭାଗ: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ - Panchayat raj Department

ମାସକରେ 10ରୁ ଅଧିକ ସରକାରୀ ଅଧିକାରୀ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ ହେଲେଣି ବରଖାସ୍ତ । 5ଟି ମୋ ସରକାର କାର୍ଯ୍ୟକାରୀ ପରେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ସରକାରଙ୍କ କଡା ଆଭିମୁଖ୍ୟ । ପଢନ୍ତୁ କେଉଁ ଅଧିକାରୀ ହୋଇଛନ୍ତି ବରଖାସ୍ତ ....

Panchayat raj Department
Panchayat raj Department

By

Published : Feb 2, 2020, 10:14 PM IST

ଭୁବନେଶ୍ବର: ଦୁର୍ନୀତିରେ ଲିପ୍ତ ରହିଲେ ଦଣ୍ଡ ଭୋଗିବା ଯେ ନିଶ୍ଚିତ ତାହା ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କଡା କାର୍ଯ୍ୟାନୁଷ୍ଠାନରୁ ଜଳ ଜଳ ହୋଇ ଦିଶୁଛି । ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଦୁର୍ନୀତି ବିରୋଧରେ ଗ୍ରହଣ କରିଥିବା କଠୋର ଆଭିମୁଖ୍ୟ ଯୋଗୁଁ କେବଳ ଗୋଟିଏ ମାସରେ ୧୦ଟି ଦୁର୍ନୀତି ମୁଣ୍ଡ ଗଡିଲାଣି । ଏମାନଙ୍କ ମଧ୍ୟରେ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରର କର୍ମଚାରୀ ଅଛନ୍ତି । ପ୍ରମାଣ ମିଳିଲେ ଆଗାମୀ ଦିନରେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ଜେନା ସତର୍କ କରାଇ ଦେଇଛନ୍ତି ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ହଟାଇବା ପାଇଁ ‘ଜିରୋ ଟଲରାନ୍ସ’ ଘୋଷଣା କରିଥିବାବେଳେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ମଧ୍ୟ ମୋ ସରକାର ଓ ୫-ଟି ଲାଗୁ ହୋଇଛି । ତଦନୁଯାୟୀ ଦୁର୍ନୀତି ଆଭାସ ପାଇବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଲାଗି ବିଭାଗୀୟ ମନ୍ତ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । କେବଳ ଜାନୁୟାରୀ ମାସରେ ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ କରକଟନାସା ପଞ୍ଚାୟତର ସରପଞ୍ଚ ଇଗ୍ନେସିଅସ ହାରୋ ରହିଛନ୍ତି । ନିଜ ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ ଲଗାଇବାରେ ଦୁର୍ନୀତି ଯୋଗୁଁ ତାଙ୍କ ବିରୋଧରେ ହୋଇଛି ନିଲମ୍ବନ ଭଳି କଡା କାର୍ଯ୍ୟାନୁଷ୍ଠାନ ।

ଖଡଗହସ୍ତ ପଞ୍ଚାୟତରାଜ ବିଭାଗ; ଦୁର୍ନିତୀଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସେହିଭଳି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ସରପଞ୍ଚ ଅଲିଭା ପଲେଇ ଏବଂ ଶୋଷ ପଞ୍ଚାୟତର ସରପଞ୍ଚ କାଞ୍ଚନ ନାୟକ ଆର୍ଥିକ ଅନିୟମିତତା କରି ନିଲମ୍ବିତ ହୋଇଛନ୍ତି । ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ବେଟରା ପଞ୍ଚାୟତର ସରପଞ୍ଚ ବିମ୍ବାଧର ଦାସ ଦୀର୍ଘଦିନ ଧରି ପଞ୍ଚାୟତ ବୈଠକ ଡାକୁନଥିବା ଅଭିଯୋଗ ଆସିବାପରେ ତାଙ୍କ ବିରୋଧରେ ମଧ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବରଗଡ ଜିଲ୍ଲାର ବରଗଡ ବ୍ଲକ କଳାପାଣି ପଞ୍ଚାୟତର ସରପଞ୍ଚ କେଭି ରେଡ୍ଡୀ ସରକାରୀ ଅର୍ଥ ହଡପ କରି ନିଲମ୍ବିତ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ହଳଦୀପାଲ ପଞ୍ଚାୟତର ସରପଞ୍ଚ ମଙ୍ଗଲ ହାଂସଦା ବେଆଇନ ସଂକଳ୍ପ ପାରିତ କରି ଧରାପଡିବାପରେ ନିଲମ୍ବିତ ହୋଇଛନ୍ତି ।


ଏହାସହ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ପାତ୍ରପଡା ପଞ୍ଚାୟତର ସରପଞ୍ଚ ଦୁଃଶାସନ ବିଶ୍ବାଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ବଣ୍ଟନରେ ଅନିମିୟତତା କରି ନିଲମ୍ବିତ ହୋଇଥିବାବେଳେ ବାଲେଶ୍ବର ଜିଲ୍ଲା ସୋର ବ୍ଲକର କେଦାରପୁର ପଞ୍ଚାୟତର ସରପଞ୍ଚ ଅଭିମନ୍ୟୁ ଜେନା ହିତାଧିକାରୀଙ୍କୁ ଠିକଣା ସମୟରେ ବିଲ ଅର୍ଥ ପ୍ରଦାନ ନକରିବା ଅଭିଯୋଗରେ ନିଲମ୍ବତ ହୋଇଛନ୍ତି ।

ଏତତ ବ୍ୟତୀତ ଜଳେଶ୍ବର ବ୍ଲକର କୋଟସାହି ପରପଞ୍ଚ ମଞ୍ଜୁବାଳା ଓରଫ ମଞ୍ଜୁଲତା ପ୍ରଧାନ ପଲ୍ଲିସଭା ନଡାକିବା ସହିତ ସରକାରୀ ଅର୍ଥ ହଡପ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ ଅନଲ ପଞ୍ଚାୟତ ସରପଞ୍ଚ ସ୍ନିଗ୍ଧା ମହାନ୍ତି ଆର୍ଥିକ ଅନିୟମିତତା କରି ନିଲମ୍ବିତ ହୋଇଛନ୍ତି । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ‘ଜିରୋ ଟଲରାନ୍ସ’ ନୀତି ଗ୍ରହଣ କରାଯାଇଥିବାବେଳେ ଆଗକୁ ଯିଏ ବି ସାମାନ୍ୟ ଦୁର୍ନୀତି କରିବାର ପ୍ରମାଣ ମିଳିବ ତାହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ସତର୍କ କରାଇଦେବା ସହିତ ଅଧିକାରୀମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details