ଭୁବନେଶ୍ବର:କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଚାୟତ ନିର୍ବାଚନ 2022 କୁ ବ୍ୟାପକ କଟକଣା ମଧ୍ୟରେ କରିବାକୁ ରାଜ୍ୟ ନିର୍ବାଚନ କମିଶନର ନିଷ୍ପତ୍ତି ନେଇଥିଲେ । ତେବେ ରାଜ୍ୟରେ ଖସୁଥିବା ସଂକ୍ରମଣ ହାର ଓ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ଅନୁକରଣ କରି ନୂଆ ଗାଇଡ ଲାଇନ ଜାରି କରିବେ ରାଜ୍ୟ ନିର୍ବାଚନ କମିଶନର । ଏନେଇ ଆସନ୍ତା ଦୁଇ ଦିନ ମଧ୍ୟରେ ଜାରି ହେବ ନୂଆ ଗାଇଡ ଲାଇନ । ଅର୍ଥାତ କୋହଳ ହୋଇପାରେ ନିର୍ବାଚନ ପ୍ରଚାର ଗାଇଡ ଲାଇନ ।
ପୂର୍ବରୁ ଏନେଇ ନିର୍ବାଚନ କମିଶନର ସମ୍ୟକ ସୂଚନା ଦେଇଥିବା ବେଳେ ଏବେ ଚିତ୍ର ସ୍ପଷ୍ଟ ହେଉଛି । କିଛିଦିନ ତଳେ ହୋଇଥିବା ବୈଠକରେ ଜିଲ୍ଲାପାଳଙ୍କ ସହ ନିର୍ବାଚନ କମିଶନର ଏନେଇ ଆଲୋଚନା କରିଛନ୍ତି । ସର୍ବାଧିକ 5 ଜଣ ଲୋକଙ୍କ ସହିତ ପ୍ରାର୍ଥୀମାନଙ୍କ ଘରକୁ ଘର ବୁଲି ପ୍ରଚାର କରିବା ଗାଇଡ ଲାଇନ ବଦଳି ଏହି ସଂଖ୍ୟା 10 ହେବ ବୋଲି ଜଣାପଡିଛି । ସୀମିତ ସଂଖ୍ୟାର ଲୋକଙ୍କ ସହ ପଦଯାତ୍ରା ଓ ମଟର ସାଇକେଲ ଯାତ୍ରାକୁ ଅନୁମତି ଦେଇପାରନ୍ତି ନିର୍ବାଚନ କମିଶନର । 5 ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ଲାଗି କେନ୍ଦ୍ର ନିର୍ବାଚନ ଆୟୋଗ କିଛି କଟକଣାକୁ କୋହଳ କରିଛନ୍ତି ।