ଭୁବନେଶ୍ବର: ‘ଜୀବନ ଧନ ମୋ ପଖାଳ କଂସା, ସଜନୀ ଲୋ ତୋ ବିହୁନେ ଉଡିଲା ହଂସା।’ ଓଡିଆଙ୍କ ଜୀବନ ସହିତ ପଖାଳରେ ଯେଉଁ ଗଭୀର ସମ୍ପର୍କ ରହିଛି ତାହାକୁ ସୁନ୍ଦର ଭାବରେ ଗୀତ ମାଧ୍ୟମରେ ବର୍ଣ୍ଣନା କରାଯାଇଛି। ଯାହାକୁ କାଳକ୍ରମେ ଏହି ଆଧୁନିକ ସମାଜରେ ପ୍ରଚାର କରିବା ପାଇଁ ମାର୍ଚ୍ଚ 20 ତାରିଖକୁ ‘ପଖାଳ ଦିବସ’ ଭାବେ ପାଳନ କରାଯାଉଛି।
‘ଓଡିଆଙ୍କ ଜୀବନ ଧନ ପଖାଳ କଂସା, କୋରୋନା ଭୟେ ବୁଡେ ବେଉସା’ ଗାଁଠାରୁ ସହର ଏପରିକି ବିଦେଶ ମାଟିରେ ମଧ୍ୟ ଆମର ଏହି ସଂସ୍କୃତିର ପ୍ରଚାର ବହୁଳ ଭାବରେ ହୋଇଛି। ତେବେ ଚଳିତ ବର୍ଷ ଏହି ଦିବସ ପାଳନ ଫିକା ପଡିଯାଇଥିବା ଦେଖିବାକୁ ମିଳିଛି। ଯାହାର ମୁଖ୍ୟ କାରଣ କୋରୋନା ଭୂତାଣୁର ସଂକ୍ରମଣ ବୋଲି କୁହାଯାଇପାରେ। ଏହା ଥଣ୍ଡା ଓ ପାନୀୟ ଜାତୀୟ ଖାଦ୍ୟ ହୋଇଥିବାରୁ ଏହା ମାଧ୍ୟମରେ ସଂକ୍ରମଣ ହେବାର ଆଶଙ୍କା କରି ଲୋକମାନେ ଏଥିରୁ ଦୂରେଇ ରହୁଥିବା କହୁଛନ୍ତି।
ସେହିପରି ସରକାରୀ ନିର୍ଦ୍ଦେଶନାମା ପାଳନ କରିବା ସହ ବଜାର ଘାଟ ବନ୍ଦ ରହୁଥିବାରୁ ବଡ ବଡ ହୋଟେଲ, ରେଷ୍ଟୁରାଣ୍ଟ ଓ ସାଧାରଣ ହୋଟେଲମାନଙ୍କରେ ଲୋକମାନଙ୍କ ଆଗମନ କମିଯାଇଛି। ଫଳରେ ପୂର୍ବ ବର୍ଷମାନଙ୍କ ଭଳି ଏବର୍ଷ ଏହି ଉତ୍ସବରେ କିଛି ଭଲ ବେପାର କରିବାକୁ ଆଶା ରଖିଥିବା ବ୍ୟବସାୟୀମାନେ ଏହାଦ୍ବାରା ପ୍ରଭାବିତ ହେଉଥିବା ଦେଖାଯାଉଛି। ତେବେ ସରକାର ଦେଶବାସୀଙ୍କ ସୁରକ୍ଷା ପାଇଁ ସଜାଗ ଥିବା ବେଳେ ସମସ୍ତେ ଲୋକମାନେ ଏହାକୁ ପାଳନ କରିବା ଭଲ କଥା ବୋଲି କହିଛନ୍ତି।
ଅନ୍ୟପଟେ ଯେଉଁଠି ବି କିଛି ଲୋକମାନେ ପଖାଳ ଖାଉଥିବା ଦେଖିବାକୁ ମିଳିଥିଲା ସେମାନେ ଏହା ଆମ ସଂସ୍କୃତି ସହିତ ଜଡିତ ବୋଲି କହିଛନ୍ତି। ସେପଟେ ଖରାଦିନେ ଏହା ପେଟ ଥଣ୍ଡା ରଖିବା ସହିତ ଶରୀର ସୁସ୍ଥ ରଖିବାରେ ସାହାଯ୍ୟ କରେ । ତେବେ ସୁରକ୍ଷିତ ଭାବେ ପ୍ରସ୍ତୁତ ପଖାଳ ଖାଇବାରେ କୌଣସି ଅସୁବିଧା ନ ଥିବା ସେମାନେ କହିଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ କରି ଏହା କୁହାଯାଇ ପାରିବ କି ଓଡ଼ିଆଙ୍କ ଜୀବନ ଧନ ପଖାଳ କଂସା, କରୋନା ଭୟେ ବୁଡ଼େ ବେଉସା।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ